Below header

ମହିଳା ଶହେ ମିଟରରେ ନୂଆ ରେକର୍ଡ଼ କଲେ ଦୂତୀ ଚାନ୍ଦ, ଭାଙ୍ଗିଲେ ନିଜର ଜାତୀୟ ରେକର୍ଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : ମାତ୍ର .୦୨ ସେକେଣ୍ଡ ପାଇଁ ଦୂତୀ ଚାନ୍ଦ ଅଲିମ୍ପିକ ଟାଇମିଂରୁ ପଛରେ ରହିଗଲେ । ଅଲିମ୍ପିକ୍‌ ଯୋଗ୍ୟତା ମାର୍କ ହେଉଛି ୧୧.୧୫ ସେକେଣ୍ଡ । ତେବେ ଦୂତୀ ଆଜି ତାଙ୍କ ଦୌଡ଼ ଫିନିସ୍‌ କରିଛନ୍ତି ୧୧.୧୭ ସେକେଣ୍ଡରେ । ଏହି କ୍ରମରେ ସେ ନିଜ ନାଁରେ ଥିବା ମହିଳା ୧୦୦ ମିଟର ଦୌଡ଼ର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି । ପୂର୍ବରୁ ଏହି ରେକର୍ଡ଼ ଥିଲା ୧୧.୨୨ ସେକେଣ୍ଡ ।

dutee chand

ପଞ୍ଜାବର ପାତିଆଲା ଠାରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁପ୍ରି ଆଥଲେଟିକସରେ ଓଡ଼ିଶାର ଏହି ଦୌଡ଼ ରାଣୀ ପୂରା ଦମ୍‌ରେ ଚମକିଛନ୍ତି । ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ତାଙ୍କର ଏହି ଟାଇମିଂ ଉଭୟ କୋଚ୍‌ ଏବଂ ଦୂତୀଙ୍କୁ ଉତ୍ସାହିତ କରିଛି । ଯଦିଓ ଦୂତୀ ୧୦୦ ମିଟର ଦୌଡ଼ରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ ରହି ୧୧.୧୭ ସେକେଣ୍ଡରେ ଦୌଡ଼ ଶେଷ କଲେ ତଥାପି ଏହା ଅଲିମ୍ପିକ୍‌ ଯୋଗ୍ୟତା ଟାଇମିଂ ଠାରୁ ସାମାନ୍ୟ ପଛରେ ଥିଲା ।

DUTEE TIMING

ହେଲେ ୧୦୦ ମିଟର ଦୌଡ଼ରେ ତାଙ୍କର ଏହି ସ୍ପିଡ୍‌ ଭାରତକୁ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ବଡ଼ ଆଶା ସୃଷ୍ଟି କରିଛି । ଅବଶ୍ୟ ନିଜର ବିଶ୍ୱ ମାନ୍ୟତା ଅନୁସାରେ ଦୂତୀଙ୍କୁ ଅଲିମ୍ପିକ ଯୋଗ୍ୟତା ମିଳିବ । ଯାହା ଆସନ୍ତା ୨୯ ତାରିଖ ଦିନ ଘୋଷଣା ହେବ ।

ରେକର୍ଡ ପରେ କିଟ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ପଟିଆଲା ଗ୍ରାଣ୍ଡ ପ୍ରିକ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଓ ୧୧.୧୭ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରି ଜାତୀୟ ରେକର୍ଡ କରିଥିବାରୁ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଶା ପ୍ରକାଶ କରିବା ସହ ଦୂତୀଙ୍କୁ ଶୁଭକାମନା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.