ନିଜ ସଞ୍ଚୟ ଓ ପେନସନ୍‌ ଟଙ୍କାରେ ଅକ୍ସିଜେନ୍‌ କନସନଟ୍ରେଟର କିଣି ଦାନ କଲେ ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ

ବାଲେଶ୍ୱର (କେନ୍ୟୁଜ୍‌) : ଏଇ କରୋନା କାଳରେ ଅନେକ ଲୋକଙ୍କ ମହତ୍‌ ଦାନ ରହିଛି ଲୋକମାନଙ୍କ ପାଇଁ । ଏମିତି ଜଣେ ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏଭଳି କିଛି କାମ କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ସେ ନିଜର ଅବସରକାଳୀନ ଭତ୍ତା ଓ ନିଜ ସଞ୍ଚିତ ପାଣ୍ଠିରୁ ଅକ୍ସିଜେନ କନସନଟ୍ରେଟର କିଣିଛନ୍ତି କୋଭିଡ ରୋଗୀଙ୍କ ପାଇଁ । ଏସବୁକୁ ସେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦାନ କରିଛନ୍ତି ।

ସେ ହେଉଛନ୍ତି ବାଲେଶ୍ଵର ଗୋପାଳ ଗାଁ ଅଞ୍ଚଳର ବଳରାମ ବେହେରା । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରରେ ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ସିଡିଏମ୍ଓ ଦୁଲାଲ ସେନ୍ ଜଗଦେବଙ୍କ ଉପସ୍ଥିତି ଥିଲେ । ଏହି ଅବସରରେ ବଳରାମ ଅକ୍ସିଜେନ ନସନଟ୍ରେଟର ପ୍ରଦାନ କରିଥିଲେ । ସେ ଦେଢ଼ ବର୍ଷ ପୂର୍ବରୁ ବାଲେଶ୍ଵର ମହିଳା କଲେଜରୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଥିଲେ । ତେବେ ବଳରାମଙ୍କର ଅଭ୍ୟାସ ହେଉଛି ମହତ୍ ଉଦ୍ଦେଶ୍ୟ ପାଇଁ ପ୍ରତିଦିନ କିଛି ନା କିଛି ସଞ୍ଚୟ କରିବା । ସେହି ଜମା ଅର୍ଥକୁ ଏ ଦିଗରେ ବିନିଯୋଗ କରିଛନ୍ତି ।

BALARAM-2

ଏହା ସହ ପ୍ରକୃତିକୁ ବଞ୍ଚାଇବା ପାଇଁ ସେ ବୃକ୍ଷ ରୋପଣକୁ ନିଜର ବ୍ରତ ଭାବେ ଗ୍ରହଣ କରିଛନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ନିଜ ସଞ୍ଚିତ ଅର୍ଥ ଓ ପେନସନ ଟଙ୍କାକୁ ଏକାଠି କରିଥିଲେ । ମୋଟ ୫୬ ହଜାର ଟଙ୍କା ହେଲା । ଏଥିରେ ଅକ୍ସିଜେନ କନସନଟ୍ରେଟର କିଣି ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି । ତାଙ୍କର ଏଭଳି ଅବଦାନ ପାଇଁ ଜିଲ୍ଲାପାଳଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଳରାମଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.