Below header

ଯାଜପୁରରେ ଆସନ୍ତାକାଲି ଠାରୁ କେଡିଏମ୍ କ୍ରିକେଟ୍ ମହାକୁମ୍ଭ ଟ୍ରଫି ଉନ୍ମୋଚନ ଉତ୍ସବ, ଯୋଗଦେଲେ ୭୩ଟି ଟିମର ଖେଳାଳୀ

ଯାଜପୁର(କେନ୍ୟୁଜ୍‌): କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଜାରକା ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି କେଡିଏମ୍ କ୍ରିକେଟ୍ ମହାକୁମ୍ଭ । ଏହି ଅବସରରେ ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ କେଡିଏମ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଟ୍ରଫି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସମ୍ମାନୀତ ଅତିଥି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ସାଂସଦ ରୀତା ତରାଇ ପ୍ରମୁଖ ଯୋଗଦେଇ ଟ୍ରଫିକୁ ଉନ୍ମୋଚିତ କରିଥିଲେ ।

ଉତ୍ସବ ଉପଲକ୍ଷେ ପ୍ରକାଶିତ ଦିବଂଗତ ସାଂସଦ କଳ୍ପତରୁ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ “ଆଜି ବି ମନେ ପଡନ୍ତି” ପତ୍ରିକାକୁ ଲୋକର୍ପିତ କରିଥିଲେ । ଏହି ଅବସରରେ କ୍ରୀଡାବିତ୍ ଅମରେନ୍ଦ୍ର ନାୟକ, ମନୋଜ କୁମାର ମହାନ୍ତି, ଅବୁ ସାଏମାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଗ୍ରାମାଂଚଳର କ୍ରୀଡାବିତମାନଙ୍କୁ ଆଗକୁ ଆଣି ସେମାନଙ୍କୁ କ୍ରୀଡା କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଗତ ଚାରି ବର୍ଷ ଧରି ଫାଉଣ୍ଡେସନ ଏହି ପ୍ରୟାସ ଜାରି ରଖିଛି । ଏଥିସହ ସମଗ୍ର ରାଜ୍ୟରେ ଧର୍ମଶାଳାକୁ କ୍ରୀଡା କ୍ଷେତ୍ରରେ ପ୍ରତିଷ୍ଠିତ କରିବା କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ।

 

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଆ ଚଳଚ୍ଚିତ୍ର ଅଭିନେତା ପୁପିନ୍ଦର ପରିଚାଳନା କରିଥିଲେ । ଏହି ଟ୍ରଫି ଉନ୍ମୋଚନ ଉତ୍ସବରେ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବାକୁ ଥିବା ଧର୍ମଶାଳା, ବରୀ, କୋରେଇ ନିର୍ବାଚନମଣ୍ଡଳୀର ୭୩ଟି ପଂଚାୟତ ଟିମ୍‌ର କ୍ରିକେଟ୍ ଖେଳାଳୀମାନେ ଯୋଗଦେଇଥିଲେ । ପରେ ଆତସବାଜୀ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟ ଦୁଇମାସ ଧରି ଚାଲିବାକୁ ଥିବା ବେଳେ ଆସନ୍ତା ଜାନୁଆରୀ ୧୯ତାରିଖରେ ଉଦ୍‌ଯାପିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.