Below header

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଫଟା ଜୋତା ପିନ୍ଧି ମୈଦାନକୁ ଓଲ୍ହାଇ ଥିଲେ ମହମ୍ମଦ ସାମୀ, କାରଣ ଖୋଜୁଛନ୍ତି ପୂର୍ବତନ ଖେଳାଳି

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଡ଼େ-ନାଇଟ ଟେଷ୍ଟ ମ୍ୟାଚ ଶନିବାର ଶେଷ ହୋଇଛି । ଏହି ମ୍ୟାଚରେ ୮  ଵିକେଟରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ କିଛି ସମୟ ପାଇଁ ଭାରତର ସ୍ଥିତି ମଜବୁତ ଥିବା ନଜର ଆସିଥିବା ବେଳେ ପରେ କିନ୍ତୁ ବାଜି ଓଲଟି ଯାଇଥିଲା । ଫଳାଫଳ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା । ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନ ସ୍କୋର କରିଥିଲେ ଭାରତୀୟ ଦଳ । ଏମିତିକି କୌଣସି ଖେଳାଳି ଦୁଇ ଅଙ୍କ ବି ଛୁଇଁ ପାରିନାହାନ୍ତି । କିନ୍ତୁ ଏଭିତରେ ମୈଦାନରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଟିମ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ସାମୀ ଯେବେ ମୈଦାନକୁ ଓଲ୍ହାଇ ଥିଲେ ତାଙ୍କୁ ଦେଖି ଫ୍ୟାନ୍ସମାନେ ଚକିତ ହୋଇଯାଇଥିଲେ । ପ୍ରକୃତରେ ସାମୀ ଫାଟି ଯାଇଥିବା ଏକ ଜୋତା ପିନ୍ଧି ବୋଲିଙ୍ଗ କରିବାକୁ ଆସିଥିଲେ ।

ମ୍ୟାଚ ଚାଲିଥିବା ସମୟରେ ଯେତେବେଳେ ସାମୀଙ୍କ ଜୋତା ଉପରେ କ୍ୟାମେରା ଫୋକସ କରିବା ସମୟରେ ତାଙ୍କ ବାମ ପାଦର ଜୋତା ଫାଟିଥିବା ସ୍ପଷ୍ଟ ଭାବରେ ନଜର ଆସିଥିଲା । ଏମିତିକି କମେଣ୍ଟାରୀ ଦାୟିତ୍ୱରେ ଥିବା ଅଷ୍ଟ୍ରେଲିଆ ଟିମର ପୂର୍ବ ବରିଷ୍ଠ ଖେଳାଳି ଆଡ଼ମ ଗିଲକ୍ରୀଷ୍ଟ, ମାର୍କ ଓ ସେନ ଓ୍ଵର୍ଣ୍ଣ ବି ଏହାକୁ ନେଇ ଚର୍ଚ୍ଚା କରିଥିଲେ । ସେନ ଓ୍ଵର୍ଣ୍ଣଙ୍କ ଅନୁଯାୟୀ, ସାମୀ ହାଇ ଆର୍ମ ଆକ୍ସନରେ ବୋଲିଙ୍ଗ କରିଥାନ୍ତି । ତେଣୁ ଏହି ଫର୍ମାଟରେ ଯେବେ ସାମୀ ବୋଲିଙ୍ଗ କରନ୍ତି ଏହି ସମୟରେ ତାଙ୍କ ବାମ ପାଦର ଆଙ୍ଗୁଠି ଜୋତାରେ ବାଜିବା କାରଣରୁ ବୋଲିଂ କରିବାରେ ଅସୁବିଧା ହୋଇଥାଏ । ଏହି ଅସୁବିଧାକୁ ଏଡ଼ାଇବା ପାଇଁ ସାମୀ ଫାଟି ଯାଇଥିବା ଜୋତାର ଆଗ ପଟକୁ କଣା କରି ପିନ୍ଧି ଥାଇ ପାରନ୍ତି ବୋଲି ଓ୍ଵର୍ଣ୍ଣ କହିଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ବ୍ୟାଟିଂ ବେଳେ କିନ୍ତୁ ସାମୀଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ସେଥିଲାଗି ସେ ବ୍ୟାଟିଂ କରି ପାରିଲେ ନାହିଁ ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ପାଳି ଘୋଷଣା କରିବାକୁ ପଡ଼ିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.