ପ୍ରଦର୍ଶନୀ ହକି ସିରିଜ୍ : ମ୍ୟାଚ୍ ଜିତିଲା ନ୍ୟୁସାଉଥ୍ ୱେଲ୍ସ,, ସିରିଜ୍ ଜିତିଲା ଓଡ଼ିଶା

ରାଉରକେଲା (କେନ୍ୟୁଜ୍) : ଓଡ଼ିଶା ଓ ନ୍ୟୁସାଉଥ୍ ୱେଲ୍ସ ମଧ୍ୟରେ ଖେଳା ଯାଇଥିବା ହକି ସିରିଜରେ ଓଡ଼ିଶା ବିଜୟୀ । ପ୍ରଥମ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଜିତିଥିଲା । ପରେ ଆଜି ରାଉରକେଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ (ଏନ୍ଏସଡବଲ୍ୟୁ )ଦଳ ୩-୨ ଗୋଲରେ ବିଜୟୀ ହୋଇଥିଲା । ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ ସ୍ଥିତିରେ ରହିବାରୁ ସିରିଜ୍ ବିଜେତା ନିର୍ଣ୍ଣୟ ପାଇଁ ପ୍ରଥମେ ପେନାଲଟି ସୁଟ୍ଆଉଟ୍ କରାଯାଇଥିଲା । ତେବେ ଏଥିରେ ମଧ୍ୟ ଦୁଇ ଦଳ ସମାନ ଗୋଲ୍ କରିଥିଲେ । ତେଣୁ ସଡନ୍ ଡେଥ୍ କରାଯାଇଥିଲା । ଏଥିରେ ରୋଷନ୍ ମିଞ୍ଜଙ୍କ ଗୋଲ୍ ଜରିଆରେ ଓଡ଼ିଶା ଏକାଦଶ ବିଜୟୀ ହୋଇଛି ।
ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକରେ ଆଷ୍ଟ୍ରୋଟର୍ଫ କରାଯିବ : ମୁଖ୍ୟମନ୍ତ୍ରୀ
ତିନି ସପ୍ତାହ ପରେ ଭୁବନେଶ୍ୱରରେ ଆରମ୍ଭ ହେବ ବିଶ୍ୱକପ୍ ହକି। ତା ପୂର୍ବରୁ ଖେଳର ଜୋରଦାର ପ୍ରମୋସନ ଚାଲିଛି। ଖୋଦ୍ ମୁଖ୍ୟମନ୍ତ୍ରୀ, ଏହାର ପ୍ରଚାରରେ ସାମିଲ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୁଣି ଥରେ ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଓଡ଼ିଶା ଏକାଦଶ ଓ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲସ୍ ମଧ୍ୟରେ ଆୟୋଜିତ ହୋଇଥିଲା ପ୍ରଦର୍ଶନୀ ହକି ମ୍ୟାଚ୍। ମୁଖ୍ୟମନ୍ତ୍ରୀ ଏହି ମ୍ୟାଚକୁ ଉଦଘାଟନ କରିଥିଲେ।
ଏହି ଅବସରରେ ଦୁଇ ଦଳର ଖେଳାଳି ସହ କରମର୍ଦ୍ଦନ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପୁଣି ପଡ଼ିଆକୁ ଯାଇ, ଗୋଲ ପୋଷ୍ଟକୁ ସଟ୍ ମାରିଥିଲେ। ହକିକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ। ଏହା ସହିତ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ସବୁ ବ୍ଲକରେ ଆଷ୍ଟ୍ରୋଟର୍ଫ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମ୍ୟାଚରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଭାରତୀୟ ହକି ଦଳର ପୁର୍ବତନ ଅଧିନାୟକ ଦିଲୀପ ତିର୍କୀ, ପୂର୍ବତନ ବିଧାୟକ ଶାରଦା ନାୟକ, ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଶାନ, ଆରଏମସି କମିଶନର ରଶ୍ମିତା ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ମୋନିଷା ବନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।
ବିଭିନ୍ନ ପ୍ରକଳ୍ପର ଉଦଘାଟନ
ଏହାପରେ ମୁଖ୍ୟମନ୍ତ୍ରୀ ଉଦିତନଗର ହାଇସ୍କୁଲ ପଡ଼ିଆରେ ୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪୦ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ରାଉରକେଲା ସହରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ ।
ସ୍ପୋର୍ଟସ ହଷ୍ଟେଲରେ ନ୍ୟୁ ସାଉଥ୍ ୱେଲ୍ସ ଖେଳାଳି
ରାଉରକେଲା ଆସିଥିବା ଅବସରରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ହକି ଖେଳାଳିମାନେ ରାଉରକେଲା ସ୍ଥିତ ହକି ସ୍ପୋର୍ଟସ ହଷ୍ଟେଲକୁ ଯାଇଥିଲେ । ସେଠାରେ ସେମାନେ ଖେଳାଳିମାନଙ୍କୁ ହକି ଟିପ୍ସ ଦେଇଥିଲେ । ରାଜ୍ୟର ଏହି ଉଦୀୟମାନ ପ୍ରତିଭାମାନେ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ମିଶି ଖୁବ୍ ଖୁସି ହୋଇଥିଲେ ।