Below header

ଆଇସିସି ବିଶ୍ୱ କପ୍‌ : ବଢୁଛି ରୋମାଞ୍ଚ, ବଦଳୁଛି ଭବିଷ୍ୟବାଣୀ; ଛୋଟ ଦଳକୁ ବଡ଼ ଦଳ ଡରିବାକୁ ବାଧ୍ୟ

ଚଳିତ ଆଇସିସି ବିଶ୍ୱ କପ୍‌ରେ ଫାଇନାଲ୍‌କୁ ମିଶାଇ ଖେଳାଯିବ ମୋଟ୍‌ ୪୮ଟି ମ୍ୟାଚ୍‌ । ସେଥିରୁ ଗତକାଲି ସୁଦ୍ଧା ୨୯ଟି ମ୍ୟାଚ୍‌ ଖେଳା ସରିଛି । ଅର୍ଥାତ୍‌ ଅଧାରୁ ଅଧିକ ମ୍ୟାଚ୍‌ ସରି ସାରଲାଣି । ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟକୁ ନେଇ ଯେଉଁ ଆକଳନ କରାଯାଉଥିଲା ସେଥିରେ ପରିବର୍ତ୍ତନ ଆସିଛି । କାରଣ ଏମିତି କିଛି ଫଳାଫଳ ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଯେମିତି ଶ୍ରୀଲଙ୍କା ହାତରେ ଇଂଲଣ୍ଡର ପରାଜୟ । ଭାରତକୁ ଆଫଗାନିସ୍ତାନର ଜୋରଦାର ଚ୍ୟାଲେଞ୍ଜ ଏବଂ ନ୍ୟୁଜିଲାଣ୍ଡ ଠାରୁ ମାତ୍ର ୫ ରନ୍‌ରେ ହାରିଲା େଓ୍ଵଷ୍ଟଇଣ୍ଡିଜ୍‌ । ତେବେ ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ମୋଟ୍‌ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟୀ ହୋଇଥିବା ବେଳେ ଭାରତ ସହ ମ୍ୟାଚ୍‌ଟି ବର୍ଷା ଯୋଗୁଁ ବାତିଲ ହେବାରୁ ପଏଣ୍ଟ ଭାଗ କରିଛି । ଏହାର ପଏଣ୍ଟ ସଂଖ୍ୟା ହେଉଛି ୧୧ ।

ଲକୀ ନ୍ୟୁଜିଲାଣ୍ଡ ଏବେବି ଆଗରେ

ନ୍ୟୁଜିଲାଣ୍ଡ ଭଳି ଭାରତ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ହାରି ନାହିଁ । ହେଲେ ଅନ୍ୟମାନଙ୍କ ଠାରୁ ବିରାଟ ବାହିନୀ କମ୍‌ ମ୍ୟାଚ୍‌ ଖେଳିଛି । ୫ଟି ମ୍ୟାଚ୍‌ରେ ୪ଟି ବିଜୟ ସହ ୯ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ଦ୍ୱିତୀୟରେ ଅଛି ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆ । କଙ୍ଗାରୁ ଦଳ ୧୦ ପଏଣ୍ଟରେ ରହିଛି ।

NEW ZELAND
ଭାରତ ପଛକୁ ଇଂଲଣ୍ଡ ୮ ଏପଣ୍ଟ ପାଇଛି । ଅନ୍ୟତମ ଟାଟଲ୍‌ ଦାବିଦାର ଭାବେ ଉଭା ହୋଇଥିବା ଏହି ଦଳ ୬ଟି ମ୍ୟାଚ୍‌ରୁ ୪ଟି ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି । ଇଂଲଣ୍ଡ ଚତୁର୍ଥ, ଶ୍ରୀଲଙ୍କା ପଞ୍ଚମ (୬ ପଏଣ୍ଟ), ବାଂଲାଦେଶ ଷଷ୍ଠ (୫ ପଏଣ୍ଟ) ଏବଂ େଓ୍ଵଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ପ୍ରତ୍ୟେକ ୩ ପଏଣ୍ଟ ଓ ଶେଷ ସ୍ଥାନରେ ରହିଛି ସବୁ ମ୍ୟାଚ୍‌ ହାରିଥିବା ଆଫଗାନିସ୍ତାନ ।

ଇଂଲଣ୍ଡକୁ ‘ଲଙ୍କା ବାଣ’ ଝଟ୍‌କା

ଶ୍ରୀଲଙ୍କା ଠାରୁ ଇଂଲଣ୍ଡ ହାରିବା ପରେ ଏହାର ସେମିଫାଇନାଲ୍‌ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ସେହିପରି ପ୍ରଥମ ୪ଟି ସ୍ଥାନରେ ରହିଥିବା ଦଳ ଆଗକୁ କୌଣସି ମ୍ୟାଚ୍‌ ହାରିଲେ ଇଂଲଣ୍ଡ ଭଳି ସ୍ଥିତିର ସାମନା କରି ପାରନ୍ତି । ଅନ୍ୟପଟେ ରନ୍‌ ସ୍କୋର ହାରରେ ସବୁଠାରୁ ଆଗରେ ରହିଛି ଇଂଲଣ୍ଡ । ଆଫଗାନିସ୍ତାନ ବିପକ୍ଷରେ ବଡ଼ ସ୍କୋର କରିବା ଫଳରେ ଏହାର ରନ୍‌ ହାର ପହଞ୍ଚିଛି ୧.୪୫୭ରେ । ନ୍ୟୁଜିଲାଣ୍ଡ (୧.୩୦୬), ଅଷ୍ଟ୍ରେଲିଆ (୦.୮୪୯) ଏବଂ ଭାରତ (୦.୮୦୯) ରହିଛନ୍ତି ।

ଭାରତକୁ ଆଫ୍‌ଗାନୀ ଚେତାବନୀ

ଗତକାଲି ଭାରତ ମାତ୍ର ୧୧ ରନ୍‌ ବ୍ୟବଧାନରେ ଟୁର୍ଣ୍ଣମେଣ୍ଟର ସବୁଠାରୁ ଦୁର୍ବଳ ଦଳ ଭାବେ ମନେ କରାଯାଉଥିବା ଆଫଗାନିସ୍ତାନକୁ ହରାଇଛି । ତାହା ପୁଣି ଆଉ ମାତ୍ର ଗୋଟିଏ ବଲ୍‌ ବାକି ଥାଇ । ତେଣୁ ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଦଳ ସିନା ଟାଇଟଲ୍‌ ଜିତିବାକୁ ସମର୍ଥ ନୁହେଁ ବୋଲି ଆମେ କହି ପାରିବା, ହେଲେ ସେମାନେ କିଛି ବଡ଼ ବିପର୍ଯ୍ୟୟ ଘଟାଇବାକୁ ଯେ ସକ୍ଷମ ଏଥିରେ ସନ୍ଦେହ ନାହିଁ ।

AFGANISTAN

ବାକି ସବୁ ମ୍ୟାଚ୍‌ ଜିତିବାକୁ ହେବ ପାକିସ୍ତାନକୁ

ଆଜି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଅବଶ୍ୟ ଏହି ମ୍ୟାଚ୍‌ର ଫଳାଫଳ ଦକ୍ଷିଣ ଆଫ୍ରିକା ପାଇଁ ବିଶେଷ ଗୁରୁତ୍ୱ ରଖୁ ନାହିଁ । କାରଣ ଏହି ଦଳ ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି । ଅନ୍ୟପକ୍ଷରେ ପାକିସ୍ତାନ ଆଜିର ମ୍ୟାଚ୍‌ ସହିତ ବାକି ସବୁ ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍‌ ଦୌଡ଼ରେ ରହି ପାରିବ । ଏକଥା ବି ନଜରରେ ରଖିବାକୁ ପଡ଼ିବ ଯେ ଆଗରେ ଥିବା ପ୍ରତିପକ୍ଷ ଟିମ୍‌ଗୁଡ଼ିକ ଯମିତି ମ୍ୟାଚ୍‌ ହାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.