OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍: ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଦେଢ କେଜି ସୁନା ଜବତ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ କୋଟିପତି ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ଜବତ ହୋଇଛି ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି । ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିରେ ବିଦେଶୀ ମୁଦ୍ରା ମଧ୍ୟ ରହିଛି। ରେଡ୍ ବେଳେ ମିଳିଛି ଦେଢ଼ କିଲୋ ସୁନା ଗହଣା । ଯାହାର ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ବିରଞ୍ଚି ନାରାୟଣ ଦାସଙ୍କର ଭୁବନେଶ୍ୱର ନୀଳାଦ୍ରିବିହାରରେ ଦୁଇଟି ଦୁଇ ମହଳା କୋଠା ଏବଂ ଭୁବନେଶ୍ୱର ଭକ୍ତିନଗର ଓ କଟକ ଗୋଡ଼ିବନ୍ଧରେ ୨ଟି ଏକ ମହଲା ଘର ଅଛି ।
ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ଅଛି ୧୪ଟି ପ୍ଲଟ୍ । ୫୬ ଲକ୍ଷ ଟଙ୍କାର ବୀମା ରହିଛି । ବ୍ୟାଙ୍କରେ ବିପୁଳ ପରିମାଣର ଟଙ୍କା ଡିପୋଜିଟ୍ ହୋଇଥିବା ସ୍ଲିପ୍ ସହ ନିଯୁକ୍ତି ସମ୍ପର୍କିତ ଆବେଦନକାରୀଙ୍କ ଆଡମିଟ୍ କାର୍ଡ ଜବତ କରିଛି ଭିଜିଲାନ୍ସ ଟିମ୍ । ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇଟି ବାଇକ୍ ବି ମିଳିଛି । କଟକ ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ ।
ବିରଞ୍ଚି ନାରାୟଣ ସାହୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ? ଚାକିରି ବ୍ୟତୀତ ତାଙ୍କ ଆୟର ଅନ୍ୟ ଉତ୍ସ କଣ? ଘରୁ ଜବତ ଲକ୍ଷ ଲକ୍ଷ ଟଙ୍କା କୁଆଡୁ ଆସିଥିଲା ? ଚାକିରି ପାଇଁ କାହା ପାଖରୁ ଲାଞ୍ଚ ନେଇଥିଲେ କି ? ଅଧିକ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ।