୬ ମାସରୁ ଉର୍ଦ୍ଧ୍ୱ ହେବ ସାମାଜିକ ବାସନ୍ଦର ଶିକାର ହେଲେ ୧୨ ପରିବାର, ନ୍ୟାୟ ପାଇଁ କରିଛନ୍ତି ଅପେକ୍ଷା

ପାଖାପାଖି ୬ ମାସରୁ ଉର୍ଦ୍ଧ୍ୱ ହେବ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଏହି ୧୨ ପରିବାର । ସ୍ଥାନୀୟ ବ୍ଲକ ପ୍ରଶାସନର କାର୍ଯ୍ୟରେ ଅତିଷ୍ଟ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଏମାନେ ।

ଗାଁ କମିଟି ଚଲାଇଛି କଙ୍ଗାରୁ ଶାସନ । ଏବେ ବି ଅନେକ ଗାଁ ରେ ସାମାଜିକ ବାସନ୍ଦ ଭଳି ଅମାନବୀୟ ଘଟଣା ଦେଖିବାକୁ ମିଳୁଛି । କଥା ଟା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ କିନ୍ତୁ ଏଭଳି କିଛି ସତରେ ଘଟିଛି । ସାମାନ୍ୟ ଜାଗା ପାଇଁ କିଛି ପ୍ରଭାବଶାଳୀ ବ୍ୟକ୍ତି ୧୨ଟି ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି । ନା ଦୋକାନରୁ ଦେଉଛନ୍ତି ରାସନ ନା ଦେଉଛନ୍ତି ପାଣି । ଏହି ପରିବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଖାପାଖି ୬ ମାସରୁ ଉର୍ଦ୍ଧ୍ୱ ହେବ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଏହି ୧୨ ପରିବାର । ସ୍ଥାନୀୟ ବ୍ଲକ ପ୍ରଶାସନର କାର୍ଯ୍ୟରେ ଅତିଷ୍ଟ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଏମାନେ । ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ହାତୀବେନା ଡିଏନ୍‌କେ ଗାଁରେ ଦେଖିବାକୁ ମିଳିଛି ।

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ “ହାତୀବେନା ଡିଏନକେ” ଗାଁରେ ୫୦ରୁ ଉର୍ଦ୍ଧ୍ୱ ବର୍ଷ ଧରି ବସବାସ କରି ଆସୁଥିବା ୧୨ ପରିବାର ଏବେ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ” କଳା ବହି ” ଓ ଜମି ପଟ୍ଟା ନଥିବା ବେଳେ ଦିନମଜୁରିଆ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି ଏଠାକାର ଲୋକେ । କିନ୍ତୁ ଗାଁର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସେମାନେ ଏବେ ବାସହରା ହେବାକୁ ବସିଛନ୍ତି । ଗାଁ କମିଟିର କଙ୍ଗାରୁ ଶାସନରେ ଜମିରୁ ବେଦଖଲ କରିବାର ନିର୍ଦେଶ ନମାନିବାରୁ ୬ ମାସରୁ ଉର୍ଦ୍ଧ୍ୱ ହେବ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଏହି ପରିବାର । ସାମାଜିକ ବାସନ୍ଦ ଫଳରେ ସ୍ଥାନୀୟ ଦୋକାନରୁ ସଉଦା କିଣିବା, ପାନୀୟ ଜଳ, ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଏବଂ ଗ୍ରାମର କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରୁ ବାଦ ପଡିଛନ୍ତି ପୀଡିତ ୧୨ ପରିବାର । ଏହାକୁ ନେଇ ପୀଡିତ ପରିବାରମାନେ ବାରମ୍ବାର ରାଇଘର ତହସିଲ କାର୍ଯ୍ୟାଳୟ , ବ୍ଲକ କାର୍ଯ୍ୟାଳୟ ଏବଂ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସେମାନଙ୍କୁ ଓଲଟା ସ୍ଥାନୀୟ ପ୍ରଶାସନର ଆକ୍ରୋସର ଶିକାର ହେବାକୁ ପଡିଥିଲା । ଶେଷରେ ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ଏବଂ ନବରଙ୍ଗପୁର ଏସ୍‌ ପି ରୋହିତ ବର୍ମାଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଗୁହାରୀ ଜଣାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି ବାସନ୍ଦ ହୋଇଥିବା ୧୨ ପରିବାର । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ଦେଇଥିବା ଜଣା ପଡ଼ିଛି ।

ସାମାଜିକ ବାସନ୍ଦ ଭଳି କୁପ୍ରଥା ଏବେ ବି ଗାଁ ଗାଁରେ ଦେଖିବାକୁ ମିଳିଛି । ଦୁନିଆ ଯେତେ ଆଧୁନିକ ଦିଗକୁ ଗଲେ ମଧ୍ୟ ଲୋକଙ୍କ ମଧ୍ୟରେ ଏଭଳି ଅମାନବୀୟ ଚିନ୍ତାଧାରା ରହୁଛି । ତେବେ ଦେଖାଯାଉ ଏ ପରିବାରମାନେ କେବେ ନ୍ୟାୟ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.