Below header

ରାଜ୍ୟରେ ଆହୁରି ୪୮ ଘଣ୍ଟା ଲାଗି ରହିବ ବର୍ଷା : ଗୋଟିଏ ଦିନରେ ବେହାଲ୍ ଟ୍ବିନ୍ ସିଟି

ଜଳାର୍ଣ୍ଣବ ହେଲା ମୁଖ୍ୟରାସ୍ତାରୁ ଆରମ୍ଭ ଟ୍ରେନ୍ ଟ୍ରାକ୍

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏହା ପରେ ବର୍ଷାର ପରିମାଣ କମିବ। ସମୁଦ୍ର ଅଶାନ୍ତ ରହିବା ଯୋଗୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି।

ରାଜ୍ୟରେ ମୂଷଳଧାରାରେ ବର୍ଷା ଜାରି ରହିଥିବା ବେଳେ ସାହସିକତା ଦେଖାଇଛି ଓଡ୍ରାଫ ଟିମ୍। ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରିଛି। ରେସକ୍ୟୁ ବୋଟରେ ତଳି ଅଞ୍ଚଳରୁ ବିପନ୍ନଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ବିଶେଷକରି ମାଲକାନଗିରି ଜିଲ୍ଲାର ମାଥିଲି ସମେତ ଅନ୍ୟ ବନ୍ୟାଞ୍ଚଳରୁ ୫ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଣି ସୁଅରୁ ମହିଳା ଓ ପିଲାଙ୍କୁ ଉଦ୍ଧାର କରିଛି ଓଡ଼୍ରାଫ ଟିମ। ଆଜି ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହେବା ଖବର ପାଇବା ପରେ ଓଡ୍ରାଫ୍ ଟିମ୍ ଉଦ୍ଧାର କାମ ଆରମ୍ଭ କରିଥିଲା । ଭୁବନେଶ୍ୱରର ଜାଗମରା, ଗ୍ୟାରେଜ ଛକ, ଗୋଲାପ ଗାର୍ଡେନ୍ ଏବଂ ଅନ୍ୟ ଅଞ୍ଚଳରେ ପାଣି ଘେରରୁ ଉଦ୍ଧାର କାର୍ୟ୍ୟ କରାଯାଇଥିଲା । ସେହିପରି କଟକ, ମାଲକାନଗିରି, କଳାହାଣ୍ଡି ସମେତ ଅନେକ ସ୍ଥାନରେ ଟିମ ଉଦ୍ଧାର କାର୍ୟ୍ୟ କରିବା ସହ ସଜାଗ ଅଛନ୍ତି ।

ସେପଟେ କଟକବାସୀଙ୍କୁ ଘାଇଲା କରିଛି ଲଗାଣ ବର୍ଷା । ଲକ୍ଷ୍ମୀ ମଣ୍ଡପ, ରକ୍ସି ଲେନ୍, ବାଦାମବାଡ଼ି, ନ୍ୟୁ କଲୋନି, ମେରିଆ ବଜାର, ବିଡାନାସୀ ଆଦି ଅଞ୍ଚଳ ଜଳମଗ୍ନ। ସହରର ୪୦ରୁ ଅଧିକ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ଖୋଦ ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟ ପାଣିଘେରରେ ଥିଲା । ବାଦାମବାଡ଼ି ବସଷ୍ଟାଣ୍ଡରେ ପାଣି ଜମିଥିବାରୁ ଯାତ୍ରୀ ହିନସ୍ତା ଭୋଗିଥିଲେ। ଡିୟର ପାର୍କ ହରିଣମାନେ ରହିଯାଇଥିଲେ ପାଣି ଘେରରେ। ଏହାଛଡ଼ା ରୋଗୀଙ୍କୁ ଡାକ୍ତରଖାନା ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ପାଣି ନିଷ୍କାସନ ପାଇଁ ୨ଶହରୁ ଅଧିକ ପମ୍ପ ଲାଗିଥିଲେ ମଧ୍ୟ ଦୀର୍ଘ ସମୟ ପର୍ୟ୍ୟନ୍ତ ପାଣି ବାହାର କରାଯାଇ ପାରି ନଥିଲା । ଅନେକ ସ୍ଥାନରେ ମୋଟର ପମ୍ପ ଉପରେ ପାଣି ଚାଲୁଥିବାରୁ ଏହା ଅଚଳ ହୋଇ ରହିଥିଲା । ପ୍ରଭାବିତ ଅଞ୍ଚଳରେ ସିଏମସି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟା ଯାଇଛି।

ବର୍ଷାରେ ବେହାଲ ସାରା ଭୁବନେଶ୍ୱର । ସହର ଜଳାର୍ଣ୍ଣବ । ରାଜରାସ୍ତାରେ ଲହଡ଼ି ମାରୁଥିଲା ପାଣି । ତଳି ଅଞ୍ଚଳରେ ପାଣି ପଶି, ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିଲା । ରାତିରୁ ବର୍ଷା ଲାଗି ରହିଥିଲା । ସକାଳୁ କେଉଁଠି ଆଣ୍ଠୁଏ ତ କେଉଁଠି ଅଣ୍ଟାଏ ପାଣି, ଆଣ୍ଠେଇ ପଡିଥିଲେ ରାଜଧାନୀବାସୀ । ବର୍ଷାକୁ ଦେଖି ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା।

ରାଜଧାନୀ ରାସ୍ତାରେ ଡଙ୍ଗା କେଉଁଠି ଡ୍ରେନ୍, କେଉଁଠି ରାସ୍ତା ଜଣାପଡୁନି। ଘରଠାରୁ ଆରମ୍ଭ କରି ମନ୍ଦିର ପରିସର, ସବୁ ପାଣି ଭିତରେ। ରାସ୍ତାରେ ଗାଡ଼ି ତ ଦୂର କଥା, ଚାଲିଚାଲି ଯିବା ମୁସ୍କିଲ। ସବୁଥର ଭଳି ନୟାପଲ୍ଲୀ ଇସ୍କନ ମନ୍ଦିର ଆଗରେ କୃତ୍ରିମ ବନ୍ୟା। ଅନେକ ତଳି ଅଞ୍ଚଳର ଘରେ ପାଣି ପଶିଯାଇଥିଲା। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ। ମେୟର ନିଜେ ଆସିଥିଲେ ବୁଲି ଦେଖିଥିଲେ ରାଜଧାନୀର ଏହି ପରିସ୍ଥିତି। ସେହିପରି ଭିଲା ଛକ, ମେ’ ଫେୟାର ଅଞ୍ଚଳ ପାଣିରେ ବୁଡ଼ିଥିଲା। ଭାଙ୍ଗିଛି ରାଜଭବନ ହରିଣ ପାର୍କ ପାଚେରି । କାର୍ଗିଲ ବସ୍ତି ନିକଟ ଏୟାରପୋର୍ଟର ବି ପାଚେରି ଭାଙ୍ଗିଛି। ବସ୍ତି ଅଞ୍ଚଳରେ ପଶିଥିଲା ପାଣି । ଏଠାରେ ମାଆ ଓ ପୁଅ ଭାସି ଯାଉଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ। ସେହିପରି ଜଗମୋହନ ନଗରରେ ଏକ ପ୍ରକାର ବନ୍ୟା ଭଳି ସ୍ଥିତି । ଘରେ ପାଣି ପଶିଥିଲା। ଏଠାରୁ ମଧ୍ୟ ଅଗ୍ନିଶମ କର୍ମଚାରୀ ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରିଛିନ୍ତି ।

ଝାରପଡା ଅଞ୍ଚଳରେ ବି ଅନେକ ଘର ଭିତରେ ପାଣି ପଶିଛି । ଲକ୍ଷ୍ମୀସାଗର ରାସ୍ତାରେ ପାଣି ଚାଲିଥିଲା । ବୁଡିଥିଲା ବମିଖାଲ ଅଞ୍ଚଳ । କେଉଁଠି କାର ଶୋ’ ରୁମରେ ପାଣି ପଶିଥିଲା ତ କେଉଁଠି କାର୍ ଭାସୁଥିଲା। ମଞ୍ଚେଶ୍ୱର ରେଳବାଇ ୱାର୍କସପରେ ମଧ୍ୟ ପଶିଥିଲା ପାଣି। ଆଚାର୍ୟ୍ୟବିହାର ଛକ ପାଖ କୋଲନିରେ ପାଣି ପଶିବାରୁ ଲୋକ ଉପର ମହଲାରେ ଆଶ୍ରୟ ନେଇଥିଲେ । ବାଣୀବିହାର ଭୋଇ ଓ ତାରିଣୀ ବସ୍ତି ଭିତରେ ମଧ୍ୟ ପାଣି ପଶିଥିଲା । ଭାସି ଯାଇଥିଲା ଆସବାବପତ୍ର। ଲୋକ ପାଲ ଟାଣି ଆଶ୍ରୟ ନେଇଥିଲେ । ଜୟଦେବ ବିହାର ଅଞ୍ଚଳ ପାଣିରେ ଉବୁଟୁବୁ ହୋଇଥିଲା ।ମଣିଷ କାହିଁକି, ପଶୁପକ୍ଷୀ ଅବସ୍ଥା ମଧ୍ୟ ବେହାଲ । ବର୍ଷା ବିତ୍ପାତରୁ ବାଦ୍ ପଡିନଥିଲା ନନ୍ଦନ କାନନ । ବର୍ଷା ବିତ୍ପାତ ଦେଖି ବିଏମସି ସବୁ କର୍ମଚାରୀଙ୍କ ରବିବାର ଛୁଟି ବାତିଲ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.