Below header

ନିଜର ସଉକ ପୁରା କରିବାକୁ ବାଇକ୍ ଚୋରି କରୁଥିଲେ ଇଞ୍ଜିନିୟରିଂ ଛାତ୍ର, ୫ଗିରଫ

ଧରାପଡିଛନ୍ତି ଇଞ୍ଜିନିୟରିଂ ପଢୁଥିବା ପାଠୁଆ ଚୋର । ଯେଉଁମାନେ ଆଖିପିଛୁଳାକେ ଚୋରି କରୁଥିଲେ ବାଇକ୍ ।

କେନ୍ଦୁଝର(କେନ୍ୟୁଜ): ହିନ୍ଦୀ ଚଳଚ୍ଚିତ୍ରରେ ଗୋଟେ ଲୋକପ୍ରିୟ ସଙ୍ଗୀତଟେ ଅଛି.. ପାପା କେହତେ ହେଁ.. ବଡ଼ା ନାମ୍ କରେଗା..ବେଟା ହାମାରା ଐସା କାମ୍ କରେଗା..। ଏଠି ବାପା ମା ପିଲାଟି ପାଇଁ କେତେ କଣ ସ୍ୱପ୍ନ ଦେଖିଥାନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାର ସବୁ ଜିଦ୍ କୁ ପୂରଣ କରୁଛନ୍ତି । ଖାଇବା ଠାରୁ ଆରମ୍ଭ କରି ପଢିବା, ବ୍ରାଣ୍ଡ ପୋଷାକ ପିନ୍ଧିବା ସବୁ ପିଲାଙ୍କ ହିସାବରେ ଯୋଗାଇ ଦେଉଛନ୍ତି ।

ଖାଲି ଆଶା ଟିକେ ଯାହା ହେଉ ପଛେ ପିଲା କେମିତି ଭଲ ପାଠ ପଢି ଭଲ ମଣିଷଟେ ହେଉ । ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁ । ହେଲେ ପିଲାମାନେ କିନ୍ତୁ ଏଠି ଭଲ ମଣିଷ ହେବେ କଣ, ଚୋରି କରି ଏବେ ଆସି ଥାନାରେ । ଏମାନେ ଏମିତି ସେମିତି ଚୋର ନୁହଁନ୍ତି ଇଞ୍ଜିନିୟରିଂ ପଢୁଥିବା ପାଠୁଆ ଚୋର । ଯେଉଁମାନେ ଆଖିପିଛୁଳାକେ ଚୋରି କରୁଥିଲେ ବାଇକ୍ ।

ଗତ କିଛି ମାସ ହେଲା କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ କ୍ରମାଗତ ମୋଟର ସାଇକଲ ଚୋରି ହେବାରେ ଲାଗିଥିଲା । ଯାହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ ମାସ ୩୧ ତାରିଖ ତୁରୁମୁଙ୍ଗା ଥାନା ଡେଣୁଆଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଏକ ଦାମୀ ମୋଟର ବାଇକ କେନ୍ଦୁଝର ସହର ମାଧପୁର ନିକଟରୁ ଚୋରି ହୋଇଥିଲା । ସେହି ଚୋର ଗାଡ଼ିକୁ ଧରିବାକୁ ଯାଇ ପୋଲିସ କିଛି ପ୍ରମାଣ ପାଇଥିଲା । ଯାଞ୍ଚ କରିବାକୁ ଯାଇ ପୋଲିସ୍ ପହଞ୍ଚିଥିଲା ସହରର ମାଇନିଂ ଅଞ୍ଚଳରେ । ଏକ ଭଡ଼ା ଘରେ ଚଢାଉ କରି ସେଠାରୁ ୪ଟି ବାଇକ ଜବତ କରିବାରେ ସଫଳ ହୋଇଥିଲା ଟାଉନ ପୋଲିସ ।

ବାଇକ ଜବତ ପରେ ଯେଉଁ ତଥ୍ୟ ପାଇଥିଲା ପୋଲିସ୍ ତାହା ଶୁଣି ପୋଲିସ ଚକିତ ହୋଇପଡ଼ିଥିଲା । ନିଜର ସଉକ ମେଣ୍ଟାଇବା ଓ ଷ୍ଟାଇଲ ମାରିବାକୁ ଏମାନେ ବାଇକ ଚୋରି କରି ଚଲାଉଥିଲେ । ଏଥିରେ ଗିରଫ ହୋଇଥିବା ୪ ଜଣ ପିଲା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ।

ଏମାନେ ହେଲେ ଦୀପଙ୍କର ଗୋଛାୟତ (୧୯), ଶିବନନ୍ଦନ ପ୍ରଧାନ (୨୨) , ଜୟ କୁମାର ଦାସ (୧୯) , ନିଲେସ ସୁରିମ (୨୦) । ଏମାନଙ୍କୁ ଗିରଫ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ରାଜିବ ଗୋପ (୨୧) ଏମାନଙ୍କ ସାଙ୍ଗ ଏମାନଙ୍କୁ ଏସବୁ କାମରେ ସହଯୋଗ କରୁଥିଲା । ଏଣୁ ତାକୁ ଗିରଫ କରିବା ପରେ ପୋଲିସ ତାଠାରୁ ଆଉ ଏକ ବାଇକ ଜବତ କରିଥିଲା । ଏପଟେ ପୋଲିସ୍ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ଟି ବାଇକ , ୫ଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଆଉ କେଉଁମାନେ ସାମିଲ୍ ଅଛନ୍ତି କି ନାହିଁ ସେଦିଗରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.