Below header

ଶ୍ରୀ ଅଙ୍ଗଙ୍କ ସେବାରେ ଶ୍ରୀଅଙ୍ଗ, କୁନି ବୟସରେ ସାଜିଲେ ମହାପ୍ରଭୁଙ୍କ ସେବାୟତ

 ପୁରୀ(କେ ନ୍ୟୁଜ): ଶ୍ରୀଅଙ୍ଗ ସହ ମିଳନ ହୋଇଛି ଶ୍ରୀଅଙ୍ଗର । ମାତ୍ର ୬ମାସର ଶିଶୁପୁତ୍ର ହେଉଛି ଶ୍ରୀଅଙ୍ଗ। କିନ୍ତୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ଆଜି ସେ ପାଇଛି। କୁନି କୁନି ହାତରେ ସେ ମହାପ୍ରଭୁଙ୍କୁ ପ୍ରଣାମ କରି ରୂପାମୁଦ୍ରା ଭେଟି ଦେଇଛି । ସେହିପରି ଜଗାବଳିଆଙ୍କ ଅଣସର ସେବା ଆରମ୍ଭ ହେବା ଠାରୁ ଯୋଗଦେଇଛନ୍ତି ଯାଆଁଳା ଶିଶୁ ଜଗାବଳିଆ । ମହାପ୍ରଭୁଙ୍କ ସେବାରେ ସାମିଲ ହୋଇଛନ୍ତି ଯମଜ ଦଇତାପତି ସେବକ ରୋହିତ ନନ୍ଦ ଦାସମହାପତ୍ର ଓ ରୋନିତ ନନ୍ଦ ଦାସମହାପତ୍ର ଯାହାଙ୍କ ଡାକ ନାମ ରଖା ଯାଇଛି ଜଗା ଓ ବଳିଆ । ଖାଲି ଜଗାବଳିଆ ନୁହନ୍ତି ତାଙ୍କ ସହ ସାମିଲ ହୋଇଛନ୍ତି ଆଉ ଏକ କୁନି ସେବାୟତ | କାହିଁ କେଉଁ କାଳରୁ ଚାଲିଆସୁଛି ଏହି ପ୍ରଥା । ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ଅତ୍ୟଧିକ ସ୍ନାନ କରି ଜ୍ଵରରେ ପୀଡିତ ହୁଅନ୍ତି ଚତୁର୍ଦ୍ଧାବିଗ୍ରହ । ୧୫ ଦିନ ଧରି ମହାପ୍ରଭୁ ଅନବସର ଗୃହରେ ଥିବାବେଳେ ଏହି ସମୟରେ ଦଇତାପତି ସେବକମାନେ କରିଥାନ୍ତି ଗୁପ୍ତସେବା । ଅନବସର ଗୃହରେ ଚାଲିଥାଏ ମହାପ୍ରଭୁଙ୍କ ଓଷ ଲାଗି ସେବା ।

ପରମ୍ପରା ମୁତାବକ ପ୍ରତ୍ୟେକ ଦଇତାପତି ପରିବାରର ପୁତ୍ର ସନ୍ତାନ ଜାତ ହେବାର ୨୧ ଦିନ ପରେ ଅନବସର ସମୟରେ ସେବାପୂଜା କଲେ ଜଗନ୍ନାଥଙ୍କ ସେବାରେ ଭାଗିଦାର ହେବାର ସୌଭାଗ୍ଯ ମିଳିଥାଏ । ଏହି ପ୍ରଥା ଅନୁଯାୟୀ ଚଳିତ ଥର ସାମିଲ ହୋଇଛନ୍ତି ମାତ୍ର ୬ ମାସର କୁନି ଦଇତାପତି ସେବାୟତ ଶ୍ରୀ ଅଙ୍ଗ । ଦଇତାକୂଳରେ ତାଙ୍କର ଜନ୍ମ | ବୟସ ମାତ୍ର ୬ମାସ । ଏ ହେଉଛନ୍ତି ସୁଭଦ୍ରାଙ୍କ ବାଡଗ୍ରାହୀ ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନାତି ତଥା ଯୁବ ଦଇତାପତି ଅମିତ ଦାସମହାପାତ୍ରଙ୍କ ୬ମାସର ପୁଅ ଶ୍ରୀଅଙ୍ଗ ଦାସ ମହାପାତ୍ର । କୁନି ବୟସରେ ମହାପ୍ରଭୁଙ୍କ ସେବା, ନିତୀ, କାନ୍ତି ବିଷୟରେ ସେ ଅଜ୍ଞ ଥିଲେ ମଧ୍ୟ ଦଇତା କୂଳର ବିଧି ଓ ପରମ୍ପରା ଅନୁଯାୟୀ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସେବା କରିଥାନ୍ତି । ଏହି ସେବା କରିବା ଦ୍ଵାରା ଶ୍ରୀଅଙ୍ଗ ଦାସମହାପାତ୍ର ଦଇତାକୂଳର ଭାଗାରି ଭାବରେ ଗଣତି ହେଲେ । ଠିକ ସେହିପରି ସେବାୟତ ଦେବା ଦାସମହାପତ୍ରଙ୍କ ଯମଜ ନାତି ଦ୍ବୟ ଅନସର ତାଟି ଘରେ ପ୍ରବେଶ କରିବା ସହ ଶ୍ରୀଜୀଉଙ୍କ ସେବା ପୂଜାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକଭାବେ ଏହି କୁନି ଦଇତାମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନଙ୍କ ସହ ମାଧବଙ୍କୁ ଭେଟି ଆକାରରେ ରୂପାର ୫ଟି କଏନ୍‌ ଦାନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଏହି କୁନି ଦଇତାପତି ସେବାୟତଙ୍କୁ ଦେଖିବା ପାଇଁ ଭକ୍ତଙ୍କ ବେଶ ଭିଡ ଜମିଥିଲା । ଶ୍ରୀ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ସେବା ଭବିଷ୍ଯତ ପିଢୀ ପାଇଁ ଏହା ନିଶ୍ଚିତ ଭାବେ ଏକ ପ୍ରେରଣା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ଯନ୍ତ ମହାପ୍ରଭୁଙ୍କ ସେବା କରିବାରେ ଦଇତାପତିଙ୍କର ପ୍ରମୁଖ ଭୂମିକା ଥିବାବେଳେ ଭବିଷ୍ଯତରେ ଶ୍ରୀଅଙ୍ଗ ଓ ଜଗାବଳିଆ ମଧ୍ୟ ମହାପ୍ରଭୁଙ୍କ ଏହି ସେବା କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି କୁନି ଦଇତାଙ୍କୁ ଭଲ ବିଦ୍ୟା, ଭଲ ବୁଦ୍ଧି ଦେବା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ତାଙ୍କୁ ଶକ୍ତି ଓ ସାହାସ ଦିଅନ୍ତୁ ଏହି ପ୍ରାର୍ଥନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.