ଭିନ୍ନ ଏକ ଭାଷା ପ୍ରେମୀ ଜନଜାତି ସମ୍ପ୍ରଦାୟ, ଯେଉଁଠି ପୂଜା ପାଆନ୍ତି ଅକ୍ଷର ବ୍ରହ୍ମ

ପ୍ରକୃତିର କୋଳରେ ଜନ୍ମ ଏମାନଙ୍କର, ପ୍ରକୃତି ଏମାନଙ୍କ ପିତା ମାତା । ହେଲେ ଭାଷା ଓ ସଂସ୍କୃତି ଟିକେ ଅଲଗା ଏଇ ସଉରା ଜନଜାତିଙ୍କର ।
କୁହାଯାଏ ଭାଷା ଯେକୌଣସି ଜାତିକୁ ଏକାଠି କରିବାରେ ଏକ ମାଧ୍ୟମ । ଏହାକୁ ଠିକ ଭାବେ ବୁଝି ପାରିଥିଲେ ରାୟଗଡା ଜିଲ୍ଲାର ମରିଚଗୁଡା ଗାଁର ମାଙ୍ଗେଇ ଗମାଙ୍ଗୋ । କୁହାଯାଏ ଏକ ଆଲୌକିକ ଘଟଣା ଘଟିଥିଲା ୧୯୩୬ ମସିହା ମଇ ମାସର ଶେଷ ସପ୍ତାହରେ । କିମ୍ବଦନ୍ତୀ ଅନୁସାରେ ମାଙ୍ଗେଇ ଗମାଙ୍ଗୋ ସୌରା ଲିପିର ସନ୍ଧାନ କରିଥିଲେ । ତେଡିଗୁଡା ବା ଇଦମତଲେୟାଙ୍ଗ ବୁର ପାହାଡରେ ୨୧ ଦିନ ତପସ୍ୟା କରି ଅକ୍ଷର ବ୍ରହ୍ମ ପ୍ରାପ୍ତ କରିଥିଲେ । ଓଡିଆ ଭାଷା ସହିତ ସାମଞସ୍ୟ ଥିବା ୨୪ ଗୋଟି ଅକ୍ଷର ଏବଂ ୧୨ ଗୋଟି ସଂଖ୍ୟା ରହିଛି ଏହି ଲିପିରେ । ଯାହା ପଥରରେ ଖୋଦା ହୋଇଥିବା ସ୍ବପ୍ନାଦେଶ ହୋଇଥିଲା । ଏହି ଅକ୍ଷରକୁ ସଇରା ସାମ୍ପେଙ୍ଗ ଭୋଲି କୁହାଯାଏ । ଯାହାକି ଏବେ ମରିଚଗୁଡା ଗାଁରେ ଅକ୍ଷର ବ୍ରହ୍ଣ ଭାବେ ପୂଜା ପାଉଛନ୍ତି । ଏହି ଭାଷାକୁ ଈଶ୍ୱରଙ୍କ ଦାନ ବୋଲି ମାନନ୍ତି ସୌରା ଆଦିବାସୀମାନେ ।

ସଉରା ଭାଷାର ପ୍ରଚାର ଓ ପ୍ରସାର କରିବା ପାଇଁ ଅନେକ ସାରସ୍ଭତ ସାଧକମାନେ ଆଗେଇ ଆସିଲେ । ଏମାନଙ୍କ ଭିତରେ ଥିଲେ ଅର୍ଜୁନ ଶବର, ଗୁରୁକୃଷ୍ଣ ଶବର । ସଫ୍ଟୱେର ଇ଼଼ଞିନିଅର ସୋନୀ ସଲମା ପ୍ରୀୟଦର୍ଶୀନିଙ୍କୁ ସାମ୍ପେଙ୍ଗ ଲିପିର ଡିଜିଟାଇଜେସନ ସହାୟତା କରିଥିଲେ ଗୁରୁକୃଷ୍ଣ ଶବର । ସେ ଆମ ରାଜ୍ୟର ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳରେ ବୁଲି ସେଠାରେ ବସବାସ କରୁଥିବା ସଉରାମାନଙ୍କୁ ଭାଷା ଓ ଲିପି ନେଇ ସଚେତନ କରିଥିଲେ ।

ମାଙ୍ଗେଇ ଗମାଙ୍ଗୋ ସଉରା ଭାଷାକୁ ଏକ ରାଜଭାଷାର ମାନ୍ୟତା ପ୍ରଦାନ ପାଇଁ ବହୁବାର ଉଦ୍ୟମ କରିଥିଲେ । ମାଙ୍ଗେଇ ଓ ଅର୍ଜୁନ ଗମାଙ୍ଗୋ ମିଳିତ ୧୯୭୨ ମସିହାରେ ମହିଶୁରସ୍ଥିତ ଭାଷା ପ୍ରତିଷ୍ଠାନକୁ ଯାଇ ସେଠାରେ ଭାଷା ସମ୍ମିଳନୀରେ ଯୋଗ ଦେଇଥିଲେ । ସରକାରୀ ଭାଷାର ମାନ୍ୟତା ପାଇଁ ଦାବି ରଖିଥିଲେ । ସେହି ସମୟରେ ଡମ୍ବସରା ଠାରେ ସୌରା ଭାଷାରେ ଏକ ଛାପାକଳ ମଧ୍ୟ ପ୍ରତିଷ୍ଠା କରିଥିଲେ । ବିଭିନ୍ନ ପତ୍ର ପତ୍ରିକା, ନିମନ୍ତ୍ରଣ ପତ୍ର, ବହି ଆଦି ଛାପା ଯାଉଥିଲା ଏଠାରେ । ବାହାଘର ନିମନ୍ତୟଣ ପତ୍ରରେ ବି ଥିଲା ସୌରା ଲିପି । ପ୍ରତ୍ୟେକ ଜାତିର ପରିଚୟ ହେଉଛି ତାର ଭାଷା । ଯାହାର ପ୍ରଚାର ପ୍ରସାର ହେଲେ ବଞ୍ଚି ରହିବ ସୌରା ଜନଜାତିର ସଂସ୍କୃତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.