ଗୋଟିଏ ଅଟୋରେ ଯାଉଥିଲେ ୧୨ ଜଣ, ଦୁର୍ଘଟଣାରେ ଚାଲିଗଲା ମୁରୁଜ ବେପାରୀର ଜୀବନ

ଗଞ୍ଜାମ: ସବୁ ଦିନ ପରି ଆଜି ବି ବାହାରିଥିଲେ ମୁରୁଜ ବିକ୍ରି କରିବା ପାଇଁ । ହେଲେ କିଏ ଜାଣିଥିଲା ମୃତ୍ୟୁ ହାତ ଠାରି ଡାକୁଛି। ଭୋର୍ ପାଖାପାଖି ଚାରିଟାରେ ବାହାରିଥିଲେ ଗାଁ ରୁ । ସକାଳ ଛଅ ଟା’ରେ ପହଞ୍ଚି ଥାନ୍ତା ଅଟୋ । କିନ୍ତୁ ତା’ ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇଗଲା ।

ମୁରୁଜକୁ ଲୋକେ ଘର ସମ୍ମୁଖରେ ଝୋଟି ଚିତା ପକାଇଥାନ୍ତି । ସେଥିପାଇଁ ଏମିତି ବର୍ଷ ବର୍ଷ ଗଂଜାମ ଜିଲ୍ଲା ପାଟପୁର ଥାନା ସୁମନ୍ତପୁର ଗାଁ ରୁ ମୁରୁଜ ବିକ୍ରି କରିବା ପାଇଁ ରାତି ପାହିବା ପୂର୍ବରୁ ଅଟୋ ଭଡା କରି ପହଞ୍ଚି ଯାନ୍ତି ବ୍ରହ୍ମପୁରରେ । ଗୋଟିଏ ସ୍ଥାନରେ ଅଟୋ ରଖି ସାହି ଗଳି କନ୍ଦି ବୁଲି ବିକ୍ରି କରନ୍ତି ଓ ଅପରାହ୍ନ ରେ ଘରକୁ ଫେରନ୍ତି । ଏହି ପରି ଜୀବନ ଜୀବିକା ଚାଲିଆସୁଥିବା ବେଳେ ଆଜି କିନ୍ତୁ ସବୁ ମୁରୁଜ ଫିକା ପଡିଯାଇଥିଲା ।

ଘଟଣା ମୁତାବକ, ସବୁ ଦିନ ପରି ଆଜି ମଧ୍ୟ ଏକ ଅଟୋ ଯୋଗେ ବାର ଜଣ ମହିଳା ଓ ପୁରୁଷ ବ୍ରହ୍ମପୁର ଯାଉଥିଲେ। ଦିଗପହଣ୍ଡି _ ବ୍ରହ୍ମପୁର ରାସ୍ତା ର ଅନଙ୍ଗପୁର ରାସ୍ତାରେ ଘଟିଲା ବଡ ଦୁର୍ଘଟଣା। ଯାହାଫଳରେ ଏଥିରେ ଗୋପାଳ ନାୟକ ନାମକ ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କିଛି ଆହତଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଦୀର୍ଘ ଦିନ ଧରି ପ୍ରତିଦିନ ମୁରୁଜ ବିକ୍ରି କରିବା ପାଇଁ ବ୍ରହ୍ମପୁର ଯାଇ ସେଠାରେ ପହଞ୍ଚିଲା ପରେ ସାହି ସାହି ବୁଲି ବିକ୍ରି କରିଥାନ୍ତି ଏମାନେ। କିନ୍ତୁ କିଏ ଜାଣିଥିଲା ଘଟିଯିବ ଏମିତି ଏକ ଦୁର୍ଘଟଣା।

ସୂଚନା ଥାଉକି,ଗୋପାଳ ନାୟକଙ୍କ ତିନି ଗୋଟି ପୁଅ ଓ ଦୁଇ ଗୋଟି ଝିଅ ଅଛନ୍ତି। ତିନି ପୁଅ ପେଟ ପାଟଣା ପାଇଁ କେରଳରେ କାମ କରୁଛନ୍ତି । ଅନ୍ଯପଟେ ତାଙ୍କ ଦୁଇ ଝିଅଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା ସମଗ୍ର ପରିବେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.