ଚୀନ୍ ସୀମାନ୍ତରୁ ଆସୁଛି ଓଡ଼ିଆ ଯବାନ୍ଙ୍କ ମର ଶରୀର, କବିସୂର୍ଯ୍ୟନଗର ଅଞ୍ଚଳର ଯଜ୍ଞ ନାରାୟଣ
![JAWAN YAGYA NARAYAN](https://knewsodisha.com/wp-content/uploads/2020/12/JAWAN-2.jpg)
ଭଞ୍ଜନଗର (କେ ନ୍ୟୁଜ୍): ): ଚୀନ ସୀମାନ୍ତରେ ଜଣେ ଓଡ଼ିଆ ଯବାନଙ୍କର ଦୁର୍ଘଟଣାରେ ମୃତ୍ୟୁ । କାର୍ଯ୍ୟରତ ଥିଲା ବେଳେ ଏକ ଜିପ ଦୁର୍ଘଟଣାରେ ଏହି ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ସଂପର୍କୀୟ ଓ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ସହିଦ ଯବାନ୍ ଜଣକ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡପାଟଣା ଗାଁର ଯଜ୍ଞନାରାୟଣ କର ବୋଲି କୁହାଯାଉଛି । ପରିବାର ଲୋକଙ୍କୁ ସେନାବିଭାଗର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଯଜ୍ଞ ନାରାୟଣଙ୍କ ମର ଶରୀର ଆଜି ଗାଁକୁ ଆସୁଛି । ତାଙ୍କ ଜନ୍ମସ୍ଥାନ ଆଠଗଡପାଟଣାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷକୃତ୍ୟ କରାଯିବ ।
ଗତ ରବିବାର ଦିନ ସିକ୍କିମର ଭାରତ-ଚୀନ୍ ନାଥୁଲା ସୀମା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ଯଜ୍ଞଙ୍କୁ ମିଶାଇ ଚାରି ଜଣ ଯବାନ୍ଙ୍କ ମୃତ୍ୟୁ ଘଟିଛି । ସେନାର ଏକ ଗାଡ଼ିରେ ଯବାନ୍ମାନେ ଯାଉଥିବା ବେଳେ ବରଫ ରାସ୍ତାରେ ଗାଡ଼ିଟି ରାସ୍ତା ତଳକୁ ଖସି ଯାଇଥିଲା । ଚାରି ଜଣ ଯାକ ଯବାନ୍ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଜଣେ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ କୋଲକାତା ଅଣାଯାଇ ଚିକିତ୍ସା କରାଯାଉଛି । ଏ ସମ୍ପର୍କରେ ପୂର୍ବ ସିକ୍କିମର ଏସ୍ପି ସୂଚନା ଦେଇଛନ୍ତି ।
ଯଜ୍ଞ ନାରାୟଣ ଗତ ବର୍ଷ ବିବାହ କରିଥିଲେ । ପୁଅର ମୃତ୍ୟୁରେ ଏବେ ପରିବାର ସମେତ ସାରା ଗାଁ ଶୋକରେ ଡୁବି ଯାଇଛି ।