ଚିହ୍ନା ମୁହଁ ସୁମନ୍ତ : ଗୀତରେ ଗୀତରେ ବୁଲି ବିକନ୍ତି ସୁଆଦିଆ ଜଳଖିଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ମାର୍କେଟ୍‌ ବିଲଡିଂ କିମ୍ବା ୟୁନିଟ୍‌-୧ ହାଟରେ ଜଣେ ଚିହ୍ନା ମୁହଁ ଦେଖିବାକୁ ମିଳେ ଏକ ଭିନ୍ନ ଢଙ୍ଗରେ । ବୁଲି ବୁଲି ବିକନ୍ତି ଜଣେ ବୁଲା ବିକାଳି । ନାଁ ହେଉଛି ସୁମନ୍ତ ସାହୁ । ତାଙ୍କ ବରା, ପିଆଜି, ସିଙ୍ଗଡ଼ା ମାଲପୁଆ ଯେଭଳି ସୁସ୍ୱାଦୁ ସେମିତି ତାଙ୍କର ଗୀତ ବି ଭାରି ମଜାଦାର । ପ୍ରତିଦିନ ପ୍ରାୟ ୧୦ ପ୍ରକାରର ଜଳଖିଆ କରି କାନ୍ଧରେ ପକାଇ ବିକନ୍ତି ସୁମନ୍ତ । ବେଶ୍‌ ଚିହ୍ନା ମୁହଁ । ନିଜର ବେପାର ପାଇଁ ସେ ନିଜେ ନିଜେ ଏମିତି ଗୀତ ରଚନା କରି ଗାଇ ଦିଅନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରନ୍ତି । ‘ବୁନ୍ଦି ଝୁମ୍‌ ଝୁମ୍‌’ ଗୀତଟିକୁ ସବୁଠୁ ବେଶି ପସନ୍ଦ କରନ୍ତି ସମସ୍ତେ । ସୁସ୍ୱାଦୁ ଖାଇବା ସହ ସ୍ୱଚ୍ଛତା ପ୍ରତି ମଧ୍ୟ ସେ ଧ୍ୟାନ ରଖନ୍ତୁ । କାଳେ ଖାଦ୍ୟ ଜିନିଷରେ ମାଛି ଆଦି ବସିବେ ତେଣୁ ଏହାକୁ ଘୋଡ଼ାଇ ରଖନ୍ତି ।

SUMANTA_2ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ରାଜପାଟଣା ଗାଁର ବାସିନ୍ଦା ହେଉଛନ୍ତି ସୁମନ୍ତ । ଘରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଝିଅ, ପୁଅ ତିନି ଜଣ ଯାକ ପାଠ ପଢୁଛନ୍ତି । ଗାଁରେ ସେମିତି ଭଲ ବ୍ୟବସାୟ ହୁଏନି । ତେଣୁ କିଛି ବର୍ଷ ହେଲା ସୁମନ୍ତ ରାଜଧାନୀ ମୁହାଁ ହୋଇଛନ୍ତି । ଖୁବ୍‌ ଛୋଟ ବେଳୁ ବାପା ଚାଲିଗଲେ । ତେଣୁ ଇଚ୍ଛା ଥାଇ ବି ପାଠ ପଢ଼ି ପାରିଲେନି । ହେଲେ ତାଙ୍କର ସ୍ୱପ୍ନ, ଯାହା ବି ହେଉ ସେ ନିଜ ପିଲାଙ୍କୁ ପାଠ ପଢ଼ାଇବେ । ତେଣୁ ୨୫ କିଲୋମିଟର ଦୂରରୁ ଏସବୁ ଜଳଖିଆ ବ୍ୟାଗ୍‌ ବୋହି ଆସି ପହଞ୍ଚି ଯାଆନ୍ତି ରାଜଧାନୀରେ । ମାର୍କେଟ୍‌ ବିଲଡିଂ ଓ ଏକ ନମ୍ବର ହାଟରେ ବୁଲି ବିକ୍ରି କରନ୍ତି । ମାଲ ସରିଗଲେ ପୁଣି ଫେରି ଯାଆନ୍ତି ନିଜ ଗାଁକୁ । ଇଏ ତାଙ୍କର ନିତି ଦିନିଆ ବ୍ୟବସାୟ । ସେ ନଆସିଲେ ତାଙ୍କୁ ଖୋଜନ୍ତି ଗ୍ରାହକମାନେ । କାରଣ ଟିଫିନ୍‌ ସହ ସୁମନ୍ତ ସେମାନଙ୍କର ମନୋରଞ୍ଜନ ବି କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.