ଆମ୍ବ ଜଗିବାକୁ ଯାଇଥିଲେ, ଅଂଶୁଘାତରେ ଗଲା ବୃଦ୍ଧଙ୍କ ଜୀବନ
ସକାଳୁ ତୋଟାକୁ ଆମ୍ବ ଜଗିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ ଭଗବାନ। ଅସହ୍ଯ ଖରାକୁ ସମ୍ଭାଳି ନ ପାରି ଅଂଶୁଘାତରେ ଭଗବାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନୟାଗଡ଼ (କେନ୍ୟୁଜ): ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ। ମୃତ ବୃଦ୍ଧ ଜଣକ ହେଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାସାନ୍ଦା ଗ୍ରାମର ଭଗବାନ ପରିଡ଼ା । ଭଗବାନ ସବୁଦିନ ପରି ରବିବାର ସକାଳୁ ତୋଟାକୁ ଆମ୍ବ ଜଗିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଯାଇ ଖୋଜାଖୋଜି କରିଥିଲେ। ଭଗବାନ ଆମ୍ବ ତୋଟାରେ ଆଚେତ ହୋଇପଡିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ ଓ ଗ୍ରାମବାସୀ। ଏକ ଅଟୋ ସାହାଯ୍ଯରେ ସେଠାରୁ ଉଦ୍ଧାର କରି ନିକଟସ୍ଥ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଅସହ୍ଯ ଖରାକୁ ସମ୍ଭାଳି ନ ପାରି ଅଂଶୁଘାତରେ ଭଗବାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସରକାରୀ ସହାୟତା ତାଙ୍କ ପରିବାର ଲୋକଙ୍କୁ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଏନେଇ ରଣପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ମୃତଦେହ ବ୍ଯବଚ୍ଛେଦ ପାଇଁ ରଣପୁର ପଠାଯାଇଛି।