ଚାନ୍ଦିପୁର DRDO ଗୁପ୍ତଚର ମାମଲା: ଆଇଟିଆରର ଡ୍ରାଇଭର ବି ସାମିଲ, ୫କୁ ବଢିଲା ଗିରଫ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  ଚାନ୍ଦିପୁର ଗୁପ୍ତଚର ମାମଲାରେ ଆଉ ଜଣେ ଗିରଫ । ଆଇଟିଆରରେ ଡ୍ରାଇଭର ଭାବେ କାର୍ଯ୍ୟରତ ସଚ୍ଚିନ କୁମାର ଛେତା ଗିରଫ କଲା ପୋଲିସ । ସେ ଆଇଟିଆରର ନିୟମିତ ଡ୍ରାଇଭର ଥିଲେ । ସଚ୍ଚିନ ଛେତାଙ୍କ ଘର ଉତ୍ତରପ୍ରଦେଶରେ । ସଚ୍ଚିନ ଛେତାଙ୍କୁ ଗିରଫ ପରେ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା ଚାନ୍ଦିପୁର ଥାନା ପୋଲିସ । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

ପୂର୍ବରୁ ହନିଟ୍ରାପ୍‌ରେ ପଡ଼ି ଡିଆରଡିଓର ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଚାନ୍ଦିପୁର ଆଇଟିଆରର ୪ ଜଣ ଠିକା କର୍ମଚାରୀ ଗିରଫ ହୋଇଥିଲେ । ଏମାନେ ହେଲେ ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ସେକ୍‌ ମୁସାଫିର । ସେମାନେ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି । ଏଭିତରେ ବାଲେଶ୍ୱରରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛିି।

କ୍ରାଇମ୍‌ବ୍ରାଞ୍ଚ ADGଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। ଅନୁସନ୍ଧାନରୁ ଜଣାପଡିଛି, ହନିଟ୍ରାପ୍‌ର ପଡ଼ିଥିବା ଯୁବକମାନେ ବିଦେଶୀ ସଂସ୍ଥାକୁ ଡିଆରଡିଓର ଗୁପ୍ତ ତଥ୍ୟ ଦେଉଥିଲେ । ଠୋସ୍‌ ପ୍ରମାଣ ମିଳିବା ପରେ ଡିଆରଡିଓରେ ଠିକାରେ କାମ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ। ଏହି ମାମଲାରେ ଆଉ କିଏ ସାମିଲ ଥିଲେ କି ? କେଉଁ କେଉଁ ତଥ୍ୟ ବାହାରକୁ ପଠାଯାଇଛି ? ହନିଟ୍ରାପ୍‌ କରିଥିବା ମହିଳାଙ୍କ ପରିଚୟ ମଧ୍ୟ ଖୋଜି ବାହାର କରିବାକୁ ଉଦ୍ୟମ ହେବ।