Below header

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ମାନ୍ୟତା, ଏବେଠୁ ବାଲିଯାତ୍ରା ହେବ ରାଜ୍ୟସ୍ତରୀୟ ପର୍ବ

କଟକ(କେନ୍ୟୁଜ୍):  ଐତିହାସିକ ବାଲିଯାତ୍ରାକୁ ମିଳିଲା ସରକାରୀ ମାନ୍ୟତା। ଏବେଠୁ ବାଲିଯାତ୍ରା ହେବ ରାଜ୍ୟସ୍ତରୀୟ ପର୍ବ । ଯାତ୍ରାକୁ ମିଳିବ ଆର୍ଥିକ ସହାୟତା । ଦୀର୍ଘ ଦିନର ଦାବି ଉପରେ ମୋହର ମାରିଲେ ରାଜ୍ୟ ସରକାର । ଦୀର୍ଘଦିନ ହେଲା ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବି ହୋଇ ଆସୁଥିଲା। ଶେଷରେ ଲୋକସେବା ଭବନରେ ନଗରଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଉଚ୍ଚସ୍ତରୀୟ ବୈଠକ । ସାମିଲ ହେଲେ କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବି ବୈଠକରେ ସାମିଲ ହୋଇଥିଲେ। ବିଦ୍ଧିବଦ୍ଧ ଭାବେ ନିଷ୍ପତି ହୋଇଛି, ଐତିହାସିକ ବାଲିଯାତ୍ରାକୁ ଆହୁରି ଭଲ କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ।

ସାରା ଦେଶରେ ବାଲିଯାତ୍ରାର ସ୍ୱତନ୍ତ୍ର ପରିଚିତ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ବାଲିଯାତ୍ରାରେ ସାମିଲ ହୋଇଥାନ୍ତି। ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ବାଲିଯାତ୍ରାକୁ ଆସୁଥିବା ବ୍ୟବସାୟୀଙ୍କ ଉପରେ ନିର୍ଭର କରି ବାଲିଯାତ୍ରା ଆୟୋଜନ କରୁଛି। ବାରମ୍ବାର ଟିକସ ବୃଦ୍ଧି ଯୋଗୁଁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାଲିଯାତ୍ରାକୁ ଆର୍ଥିକ ସହାୟତା ଦେବେ ବୋଲି ନିଷ୍ପତି ନେଇଛନ୍ତି। ବାଲିଯାତ୍ରାରେ ହେଉଥିବା ଖର୍ଚ୍ଚ ଦୃଷ୍ଟିରୁ ଜିଲ୍ଲାପ୍ରଶାସନ ପ୍ରସ୍ତାବ ଦେବା ପରେ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବେ। କିନ୍ତୁ କେତେ ପରିମାଣରେ ଆର୍ଥିକ ସହାୟତା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ। ୧୨ ତାରିଖରୁ ଆରମ୍ଭ ହେବ ବାଲିଯାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.