ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ପାଓ୍ଵାରଫୁଲ୍‌ ମେସେଜ୍‌, କହିଲେ ବିଜେଡି ଦଳ ନୁହେଁ ଏକ ଜନ ଆନ୍ଦୋଳନ

ଭୁବନେଶ୍ବର(କେନ୍ୟୁଜ୍): ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଓ୍ଵାରଫୁଲ୍‌ ମେସେଜ୍‌ । ଦଳ କାହା ଉପରେ ନିର୍ଭରଶୀଳ ନୁହେଁ । ବିଜୁ ଜନତା ଦଳ ରାଜନୈତିକ ଦଳ ନୁହେଁ । ଏହା ତିଷ୍ଠି ରହିବା ଓ ଆଗକୁ ବଢ଼ିବା ପାଇଁ କାହା ଉପରେ ନିର୍ଭର କରେ ନାହିଁ । କିଛି ବ୍ୟକ୍ତି କିମ୍ବା କିଛି ନେତା ଏପରିକି ମୋ ଉପରେ ମଧ୍ୟ ଦଳ ନିର୍ଭର କରେ ନାହିଁ । ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ଏହି ଉଧବୋଧନ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଜୁବାବୁ କହୁଥିଲେ ମୋ ପ୍ରତି ଅନୁଗତ ନହୋଇ ରାଜ୍ୟ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କର । ବର୍ତ୍ତମାନ ବିଜେଡି ଏକ ଜନ ଆନ୍ଦୋଳନ । ନବୀନ କହିଛନ୍ତି, ଓଡ଼ିଶାର ସାଢ଼େ ଚାରି କୋଟି ଭାଇ ଭଉଣୀ ଆମ ପରିବାର । ସେମାନେ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରି ଆସୁଛୁ । ନବୀନ କହିଛନ୍ତି, ନିର୍ବାଚନ ଜିତିବା ପାଇଁ କାମ କରୁ ନାହୁଁ । ସେବା ଦ୍ୱାରା ଓଡ଼ିଶାବାସୀଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ। ଏଥିପାଇଁ ୩୬୫ ଦିନ କାମ କରୁଛୁ । ଏହି ନୀତିକୁ ଅନୁସରଣ କରି ବିଜେଡି ଓଡ଼ିଶାର ବିକାଶର ପରିଚୟ ହୋଇ ପାରିଛି । ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି ବୋଲି କହିଛନ୍ତି ନବୀନ । ଆଜି ୨୩ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ବେଳେ ରାଜ୍ୟ ବଜେଡି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

 

Leave A Reply

Your email address will not be published.