ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ କଲେ ବିଜେପିର ୫ ବରିଷ୍ଠ ନେତା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ । ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା । ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ଯାଇ ନିମନ୍ତ୍ରଣ କରିଛନ୍ତି । ନିମନ୍ତ୍ରଣ ଦେଇ ଫେରିବା ପରେ ମନମୋହନ ସାମଲ କହିଛନ୍ତି, ଶପଥ ଗ୍ରହଣ ସମାରୋହକୁ ନବୀନ ପଟ୍ଟନାୟକ ଆସିବେ ବୋଲି ସମ୍ମତି ଦେଇଛନ୍ତି। ଆସନ୍ତାକାଲି ୪ଟା ୧୫ରେ ଜନତା ମଇଦାନକୁ ଆସିବେ।

ସେପଟେ ଶପଥଗ୍ରହଣ ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫ ଘଣ୍ଟାର ଟ୍ରାଫିକ କଟକଣା ଜାରି କରିଛି କମିସନରେଟ ପୋଲିସ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ଜୟଦେବ ବିହାରରୁ ନାଲକୋ ଛକ ମଧ୍ୟରେ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି ।  ସେହିଭଳି ଏହି ରୁଟକୁ ସଂଯୋଗ କରୁଥିବା ଗଳି ରାସ୍ତାକୁ ମଧ୍ୟ ସିଲ କରାଯିବ ।  ଏହି ରାସ୍ତାରେ ମଧ୍ୟ ଗାଡି ଚଳାଚଳ ହେବନି ବୋଲି ସ୍ପଷ୍ଟ କରିଛି ପୋଲିସ କମିସନର ।

ସେହିପରି ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର ।  ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ବୁଝିବେ । ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ । ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇ ରହିବେ।  ଆସନ୍ତାକାଲି ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି ରହିବ । ଏଥିସହିତ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ପୋଲିସ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି  ।

 

Leave A Reply

Your email address will not be published.