ଏଠି ସ୍ୱାର୍ଥ କି ଅର୍ଥ ନୁହେଁ, ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଭିତରେ ରହିଛି ଅନାବିଳ ସ୍ନେହ

ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା ପାଇଁ । ମୁଁ କଥା ନ କହି ପାରିଲେ କଣ ହେଲା, ଭାଇ ସାଙ୍ଗରେ ରହିଛି । ଏମିତି ଭାବି ସମ୍ପର୍କୀୟ ଦିବ୍ୟାଙ୍ଗ ଭାଇକୁ ଟ୍ରଲିରେ ଶୁଆଇ ନିଜେ ବଜାର ବୁଲାଉଛନ୍ତି ଜଣେ ଯୁବକ । ଯେଉଁ ଚିତ୍ର ଦେଖିଲେ ଆପଣ ମଧ୍ୟ କିଛି ସମୟ ଭାବିବାକୁ ବାଧ୍ୟ ହେବେ । ଟ୍ରଲି ଉପରେ ବିଛଣା ବିଛା ଯାଇଛି, ଆଉ ସେହି ବିଛଣା ଉପରେ ଶୋଇଛନ୍ତି ଜଣେ ଯୁବକ । ଏପଟେ ଅନ୍ୟ ଜଣେ ଯୁବକ ଟ୍ରଲି ଚଳାଉଛନ୍ତି । ଆପଣ ଭାବିବେ ବୋଧେ ଶରୀର ଅସୁସ୍ଥ ଥିବାରୁ କୁଆଡେ ନେଇ ଯାଉଥିବେ । ହେଲେ ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭୁଲ୍ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛି ଦୁଇ ଭାଇଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ସମ୍ପର୍କର ଚିତ୍ର ।

ଯେଉଁଠି ଆଜିର ଦୁନିଆରେ ଭାଇ ଭାଇର ଶତ୍ରୁ, ନିଜ ରକ୍ତ ସମ୍ପର୍କ ଭାଇ ସ୍ୱାର୍ଥପର ପାଲଟିଯାଉଛି , ସେଠି ଏଭଳି ଚିତ୍ର ନିଶ୍ଚିତ ଭାବେ ବିରଳ । ଆଉ ଏ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବ । ତେବେ ଟ୍ରଲି ଉପରେ ଶୋଇଥିବା ଯୁବକଙ୍କ ନାମ ବିକି ବିନ୍ଧାଣୀ । ଉଦଳା ଏନଏସି ଅଞ୍ଚଳରେ ତାଙ୍କ ଘର । ଆଉ ଟ୍ରଲି ଚଳାଉଥିବା ଯୁବକ ହେଲେ ତାଙ୍କ ସମ୍ପର୍କୀୟ ଭାଇ ଛୁଆ ବିନ୍ଧାଣି ।

ଯାହା ଆମେ ଶୁଣିଲୁ, ଜାଣି ଆଶ୍ଚର୍ଯ୍ୟ ହେଏୁ କି, ଟ୍ରଲି ଚଳାଉଥିବା ଛୁଆ ବିନ୍ଧାଣୀ କଥା କହି ପାରନ୍ତି ନାହିଁ, ଆଉ ଟ୍ରଲି ଉପରେ ପଡି ରହିଥିବା ବିକି ବିନ୍ଧାଣୀ ଜନ୍ମରୁ ଦିବ୍ୟାଙ୍ଗ। ନିଜ ପାଦରେ ଚାଲିବାକୁ ସେ ଅସମର୍ଥ । ହେଲେ ଏହି ଦୁଇ ଭାଇଙ୍କ ଯୋଡି କିଛି ନିଆରା । ଦେଖୁନାହାନ୍ତି, ବିକି ଉଦଳା ବଜାର ବୁଲିଯିବେ ବୋଲି କହିବାରୁ, କେମିତି ବଜାର ବୁଲିବାକୁ ନେଇଯାଉଛନ୍ତି ଛୁଆ। ଭାଇର ଇଚ୍ଛା ଥିବା କଥା ଦିବ୍ୟାଙ୍ଗ ଭାଇକୁ କହିବା ମାତ୍ରକେ ଛୁଆ ଡେରି ନକରି ସଙ୍ଗେ ସଙ୍ଗେ ବାହାରି ପଡ଼ିଥିଲେ ।

ଏକ ଟ୍ରଲି ଉପରେ ଶୋଇବା ପାଇଁ ବିଛଣା ବିଛାଇ ଦେବା ସହିତ ତା ଉପରେ ଶୋଆଇ ଦେଇଥିଲେ ବିକିଙ୍କୁ । ଆଉ ଟ୍ରଲିରେ ଧରି ବଜାର ବୁଲାଇବାକୁ ବାହାରିଥିଲେ ଛୁଆ ବିନ୍ଧାଣୀ । କେବଳ ସେତିକି ନୁହେଁ ଭାଇ ବିକିର ସବୁ କଥା ସେ ବୁଝୁଥିଲେ । ଶୋଷ ଲାଗିବାରୁ ପାଣି ଆଣିବା ସହିତ ପାଣି ମଧ୍ୟ ପିଆଇ ଦେଉଥିବା ଦେଖିବାକୁ ମିଳିଥିଲା । ଆଉ ଦୁଇ ଭାଇ ବଜାର ବୁଲିବା ସହିତ, ବେଶ ମଜା ମସ୍ତି କରିଥିଲେ । ଏହି ସମୟରେ ନା କିଏ ଥକିଥିଲେ ନା ଅଟକିଥିଲା ଟ୍ରଲିର ଚକ ।

ଭାଇ ଭାଇର ସମ୍ପର୍କ ସୃଷ୍ଟିର ସବୁଠାରୁ ନିଆରା ସମ୍ପର୍କ । ଜଣେ ଜଣଙ୍କର ଶକ୍ତି ଆଉ ସାହାରା । ଭାଇ ଠାରୁ ବଡ ବଳ ଆଉ ଏ ଦୁନିଆରେ କଣ ଅଛି । ହେଲେ ଆଜିକା ଦୁନିଆ ପରିସ୍ଥିତି ବଦଳିଛି ଭାଇ ସବୁଠୁ ବଡ ଭଗାରୀ ପାଲଟୁଛି । ସମ୍ପର୍କ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଭାଇର ଭାଇ ପ୍ରତି ଶ୍ରଦ୍ଧା ସମ୍ମାନ କମିବାରେ ଲାଗିଛି । ରକ୍ତ ରକ୍ତର ସମ୍ପର୍କ ଭୁଲି ଯାଉଛି କିଛି ଅର୍ଥ ଓ ସ୍ୱାର୍ଥ ପାଇଁ । ତେବେ ଏହାରି ଭିତରେ ଆଜିର ଏହି ଭାଇ-ଭାଇଙ୍କ ଭିତରର ପ୍ରେରଣାଦାୟୀ କାହାଣୀ ନିଶ୍ଚିତ ଭାବେ ଏ ସମାଜକୁ ଏକ ବଡ ଶିକ୍ଷା ଦେବ ।

 

Leave A Reply

Your email address will not be published.