ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍ରେ ଏକ ଦ୍ରୁତଗାମୀ ଘରୋଇ ବସ୍ ଅଟୋରିକ୍ସାକୁ ଜୋର୍ଦାର ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ସେନାର ୨ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଯବାନ ଏବଂ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ସୂଚନା ମୁତାବକ, କହ୍ନାନ ନଦୀ ବ୍ରିଜ୍ରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ସେନାର ୮ ଜଣ ଯବାନ ଏବଂ ଅଟୋ ଚାଳକଙ୍କୁ ଚିକିିତ୍ସା ପାଇଁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୨ ଯବାନଙ୍କର ମୃତ୍ୟୁ ଘଟିଥିଲା । ମୃତ ଯବାନ ହେଲେ ବିଘ୍ନେଶ ଓ ଧୀରଜ ।
ପୋଲିସ କହିଛି ଯେ ଅନ୍ୟ ଆହତ ଯବାନମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ଦୀନ ପ୍ରଧାନ, କୁମାର ପି, ଶେଖର ଯାଦବ, ଅରବିନ୍ଦ, ମୁରୁଗନ ଓ ନାଗରତ୍ନମ୍ । କାମ୍ପଟିର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁମାର ପି ଏବଂ ନାଗପୁରର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ନାଗରତ୍ନମ୍ଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ମୁତାବକ, ନାଗପୁରଠାରୁ ପ୍ରାୟ ୨୦ କିଲୋମିଟର ଦୂର କାମ୍ପଟିସ୍ଥିତ ସେନା ଗାର୍ଡ ରେଜିମେଣ୍ଟାଲ ଟ୍ରେନିଂ ସେଣ୍ଟରର ୧୫ ଜଣ ଯବାନ ଦୁଇଟି ଅଟୋରେ କହ୍ନାନ ଯାଇଥିଲେ । ସେଠାରୁ କିଣାକିଣି ସାରି ଫେରିବା ସମୟରେ ଘରୋଇ ଟ୍ରାଭେଲ୍ସର ବସ୍ ଏକ ଅଟୋକୁ ଜୋର୍ଦାର ଧକ୍କା ଦେଇଥିଲା । ଏଥିରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିିଛି ।
ସେପଟେ ଦୁର୍ଘଟଣାକୁ ନେଇ ଉତ୍ତେଜିତ ସ୍ଥାନୀୟ ଅଞ୍ଚଳବାସୀ ବସ୍ ଭଙ୍ଗାରୁଜା କରିବା ସହ ନାଗପୁର-ଜବଲପୁର ରାଜପଥ ଅବରୋଧ କରିଥିଲେ । ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।