ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଦୁର୍ଘଟଣା: ହେଲ୍ପଲାଇନ ନମ୍ବର ଜାରି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ; ୭ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ପଶ୍ଚିମବଙ୍ଗ ଦାର୍ଜିଲିଂରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ନିଖୋଜ ବା ଆହତଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଖବର ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପାଇଁ ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଖବର ମୁତାବକ, ଟ୍ରେନ ନଂ ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା । ଏହି ସମୟରେ ଏକ ମାଲବାହୀ ଗାଡି ଟ୍ରାକରେ ଠିଆ ହୋଇଥିବା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା । କାଞ୍ଚନଜଙ୍ଗା ଏକ୍ସପ୍ରେସ ର ୩ଟି ବଗି ଓଲଟି ପଡିଥିବା ସୂଚନା । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଟ୍ରେନ୍ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ, ଡିଭିଜନାଲ ଟିମ୍ ଏବଂ ୧୫ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ଦୁର୍ଘଟଣା ସକାଳ ୯.୩୦ ମିନିଟରେ ଘଟିଛି ।

ହେଲ୍ପଲାଇନ ନମ୍ବର:

୦୩୩-୨୩୫୦୮୭୯୪
୦୩୩-୨୩୮୩୩୩୨୬
୦୩୬୧୨୭୩୧୬୨୧
୦୩୬୧୨୭୩୧୬୨୨
୦୩୬୧୨୭୩୧୬୨୩
୦୩୬୭୪୨୬୩୯୫୮
୦୩୬୭୪୨୬୩୮୩୧
୦୩୬୭୪୨୬୩୧୨୦

ଘଟଣାସ୍ଥଳରେ ସମସ୍ତ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲକୁ ଆଲର୍ଟ କରାଯାଇଛି । ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ବିଭାଗକୁ ସତର୍କ ରହିବା ପାଇଁ କହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏନଡିଆରଏଫ ଏବଂ ଏସଡିଆରଏଫ କାମରେ ନିୟୋଜିତ ରହିଛନ୍ତି ।

Leave A Reply

Your email address will not be published.