ୟୁପିର ସିନେମା ହଲ୍ରେ ଭୟାବହ ଅଗ୍ନିକାଣ୍ଡ, କିଛି ମିନିଟ୍ ଭିତରେ ସବୁ ଜଳି ଛାରଖାର

ଉତ୍ତର ପ୍ରଦେଶର ଶାହାଜହାଁପୁରରେ ଏକ ସିନେମା ହଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଲ୍ ଭିତରେ ନିଆଁ ଦେଖି ଲୋକମାନେ ହୋ ହଲ୍ଲା କରିଥିଲେ । ଚାହୁଁ ଚାହୁଁ ମାତ୍ର କିଛି ମିନିଟ୍ ଭିତରେ ସବୁକିଛି ଜଳି ଛାରଖାର ହୋଇଯାଇଥିଲା । ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ଏଠାରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ସିନେମା ହଲ୍ର ନାଁ ଅମ୍ବା ସିନେପ୍ଲେକ୍ସ ବୋଲି ଜଣାପଡ଼ିଛି ।
ମିଳିଥିବା ଖବର ମୁତାବକ, ହଲ୍ ଭିତରେ ନିଆଁ ଏତେ ଭୟଙ୍କର ଭାବରେ ଲାଗିଥିଲା ଯେ ଅନେକ ମିଟର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଇଥିଲା । ଘଟଣାସ୍ଥଳରେ ୬ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଇବାରେ ଲାଗିଥିଲେ । ଘଟଣା ଘଟିଛି କୋତଓ୍ଵାଲି ଅଞ୍ଚଳର ଅମ୍ବା ସିନେମା ହଲ୍ରେ । ଏଠାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ହଲ୍ ଭିତରେ ଭୟଙ୍କର ଭାବରେ ବିଦ୍ୟୁତ୍ ଶର୍ଟ ସର୍କିଟ୍ ହୋଇଥିଲା ।
କୁହାଯାଉଛି ଯେ ସିନେମା ହଲ୍ରେ ଶୋ’ ଶେଷ ହୋଇସାରିଥିଲା । ଲୋକମାନେ ଘରକୁ ଯାଇସାରିଥିଲେ । ଏହାର ପାଖାପାଖି ଅଧ ଘଣ୍ଟା ପରେ ଯେତେବେଳେ ହଲ୍ର କର୍ମଚାରୀମାନେ ବାହାରେ ଆସି ବସିଥିଲେ, ସେହି ସମୟରେ ଶର୍ଟ ସର୍କିଟ୍ ହୋଇ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ବିକଟାଳ ରୂପ ଧାରଣା କରିଥିଲା । ସିନେମା ଘରର ଚେୟାର ଏବଂ ପୂରା ହଲ୍ ନିଆଁ ସଂସ୍ପର୍ଶରେ ଆସିଯାଇଥିଲା । ବର୍ତ୍ତମାନ ପୋଲିସ ଯାତାୟାତ ରାସ୍ତାକୁ ବନ୍ଦ କରିଦେଇଛି ।
ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ୬ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ବିଳମ୍ବିତ ରାତି ଯାଏ ସିନେମା ହଲ୍ ଜଳୁଥିଲା ଏବଂ ବହୁ ଉପରକୁ ନିଆଁ ଉଠୁଥିବାର ଦେଖାଯାଇଥିଲା । କିଛି ସମୟ ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରି ନେଇଥିଲେ ।