କାହାର ଟିକେଟ କଟିବ କାହାକୁ ମିଳିବ ? ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଭାଇରାଲ

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ ସବୁ ଦଳରେ କସରତ । କାହାର ଟିକେଟ କଟିବ କାହାକୁ ମିଳିବ ତାକୁ ନେଇ ଚାଲିଛି କଳ୍ପନଜଳ୍ପନା । ଟିକେଟକୁ ନେଇ ଆଶାୟୀମାନେ ଚଳାଇଛନ୍ତି ଜୋରଦାର ଲବି । ଏମିତି ସମୟରେ ପୁଣି ଏକ ପ୍ରାର୍ଥୀ ତାଲିକା ଭାଇରାଲ ହୋଇଛି । ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ବିଜେପିର ଲୋକସଭା ପ୍ରାର୍ଥୀଙ୍କ ତାଲିକା। ଭାଇରାଲ ହୋଇଥିବା ଲୋକସଭା ପ୍ରାର୍ଥୀ ତାଲିକାରେ ସୁନ୍ଦରଗଡ଼ରୁ ଜୁଏଲ ଓରାମ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ମୟୂରଭଂଜରୁ ଗିରୀଶ ମୁର୍ମୁ, କଳାହାଣ୍ଡିରୁ ବସନ୍ତ ପଣ୍ଡାଙ୍କ ନାଁ ରହିଛି ।  ସେପଟେ ବିଜେପି କହିଛି, ଏଯାଏଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇନାହିଁ ।

ରାଜ୍ୟ ବିଜେପି ନିର୍ବାଚନୀ କମିଟି ବୈଠକ ଏଯାଏଁ ବସିନାହିଁ। ବୈଠକ ବସିବା ପରେ ଦଳ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା କରିବ । ପରେ ଏହାକୁ ଅନୁମୋଦନ ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟକୁ ପଠାଇବ । କିନ୍ତୁ ତା ପୂର୍ବରୁ ବିଜେପିର ଲୋକସଭା ପ୍ରାର୍ଥୀଙ୍କ ନାଁ ଭାଇରାଲକୁ ନେଇ ଚର୍ଚ୍ଚା ଜୋର ଧରିଛି।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ବିଜେଡିର ଟିକେଟ୍‌ କଟିବା ପ୍ରାର୍ଥୀଙ୍କ ତାଲିକା। ଏହା ପଛରେ ଡାର୍ଟି ଟ୍ରିକ୍ସ ଡିପାର୍ଟମେଣ୍ଟର କାମ ବୋଲି ବିଜେଡି ଅଭିଯୋଗ ଆଣିଥିଲା । ଆଉ ଏବେ ସୋସିଆଲ ମିଡିଆରେ ବିଜେପି ଲୋକସଭା ପ୍ରାର୍ଥୀ ତାଲିକା ଚର୍ଚ୍ଚାର ବିଷୟ ପାଲଟିଛି ।