Below header

ନୟାଗଡ଼: ଶରଣକୂଳ ଥାନା ବରସାହି ଗାଁରେ ଅଭାବନୀୟ ଦୃଶ୍ୟ, ମୃତକଙ୍କୁ ବଞ୍ଚାଇବାକୁ ଗାଁ ଲୋକେ ଢାଳିଲେ ଗରାଗରା ପାଣି

ନୟାଗଡ: ଆଧୁନିକ ଯୁଗରେ ବି ବଞ୍ଚିଛି ଅନ୍ଧବିଶ୍ୱାସ। କେତେବେଳେ ପରିସ୍ଥିତିରେ ତ କେତେବେଳେ ଅନ୍ଧବିଶ୍ୱାସରେ ପଡି, ମଣିଷ ଏମିତି କିଛି କାମ କରିଥାଏ ଯାହା ପାଇଁ ତାକୁ ପଶ୍ଚାତାପ କରିବାକୁ ପଡେ। ବାରମ୍ବାର ଅନ୍ଧବିଶ୍ବାସକୁ ନେଇ ଅନେକ ଅପରାଧ ହେଉଥିବା ସହିତ କେତେ ଯେ ଭଣ୍ଡ ବାବାଙ୍କ କଳା କାରନାମାର ପର୍ଦାଫାସ୍ ହୋଇଛି ତାହାର ହିସାବ ନାହିଁ । ତେବେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ବରସାହି ଗାଁରେ। ଯେଉଁଠି ​ମୃତକଙ୍କୁ ବଞ୍ଚାଇବାକୁ ରାତିସାରା ଚାଲିଲା ପୂଜାପାଠ। ମୃତଦେହକୁ ଶୁଆଇ ଢଳାଗଲା ଗରାଗରା ପାଣି।

କିଏ ମୃତକଙ୍କ ଛାତିକୁ ବାରମ୍ବାର ଚାପିବାରେ ଲାଗିଥିଲା ତ କିଏ ଠାକୁରଙ୍କ ପାଖରେ ଗୁହାରୀ ପଡିଥିଲା । ଖାଲି ସେତିକି ନୁହେଁ ବାଜା,ଘଣ୍ଟ,ହୁଳହୁଳି ଶବ୍ଦ ସାଙ୍ଗକୁ ନାମ ସଂକିର୍ତ୍ତନରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ । ହେଲେ କଣ ହେବ, ମଲା ପରେ କିଏ କଣ କେବେ ବଞ୍ଚିଲାଣି ।

ଖବର ଅନୁଯାୟୀ ଦୁଇ ଦିନ ତଳେ ସିଙ୍ଗାରପୁର ଗାଁର ରବି ନାହାକ ଦଣ୍ଡକୁ ଆସି ଦଣ୍ଡୁଆ ଭାବେ ଯୋଗ ଦେଇଥିଲେ। ତେବେ ଶନିବାର ରାତିରେ ହଠାତ୍ ରବି ଅସୁସ୍ଥ ହୋଇପଡିଥିଲେ। ସେଠାରୁ ତୁରନ୍ତ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଶରଣକୂଳ ପୋଲିସ ମୃତଦେହକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

କିନ୍ତୁ ମନ ବୁଝିନଥିଲା ଗାଁଲୋକଙ୍କର। ମୃତଦେହକୁ ସତ୍କାର କରିବା ପରିବର୍ତ୍ତେ ମୃତକଙ୍କୁ ବଞ୍ଚାଇବାକୁ ଆରମ୍ଭ କରିଥିଲେ ପୂଜାପାଠ । ମୃତ ବ୍ୟକ୍ତିଙ୍କ ଦେହରେ ପାଣି ଢାଳିଥିଲେ। ଚାଲିଥିଲା ନାମ ସଂକିର୍ତ୍ତନ। ଆଉ ଯାହାକୁ ଦେଖିବାକୁ ରୁଣ୍ଡ ହୋଇଥିଲେ ଶହ ଶୋହ ଲୋକ। ତେବେ ଏନେଇ ଖବର ପାଇବାପରେ ଶରଣକୂଳ ପୋଲିସ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଗାଁ ଲୋକେ ବୁଝିନଥିଲେ। ଏମିତି ଦୀର୍ଘ ସମୟ ଧରି ଚାଲିରହିଥିଲା ପ୍ରହସନ । ଏହାପରେ ପୋଲିସ୍ ନିଜ ଆଡୁ ଏକ ମାମଲା ରୁଜୁ କରିବାରେ ବିଳମ୍ବିତ ରାତିରେ ଶବ ସତ୍କାର କରିଥିଲେ ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.