କଲରାବାଙ୍କ କିସ ବିଦ୍ୟାଳୟରେ ପାଠ ପଢିବେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପୁଅ ଝିଅ

କଟକ(କେନ୍ୟୁଜ୍): କିସରେ ପାଠ ପଢିବେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପୁଅ ଝିଅ। କଲରାବାଙ୍କ କିସ ବିଦ୍ୟାଳୟରେ ଏହି ଛାତ୍ର ଛାତ୍ରୀ ପାଠ ପଢିବେ। ଏଥିପାଇଁ କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ କଲରାବାଙ୍କରେ କିସ ଆବାସିକ ବିଦ୍ୟାଳୟର ଉଦଘାଟିତ ହୋଇଯାଇଛି। ଉଦଘାଟନ ସମାରୋହରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟକ ଭାବେ ଯୋଗ ଦେଇ କିସ କଲରାବାଙ୍କ ଆବାସିକ ବିଦ୍ୟାଳୟ ଉଦଘାଟନ କରିଛନ୍ତି। ଏହା ସହ ଉଦଘାଟିତ ହୋଇଛି ନୀଳିମାରାଣୀ ମାର୍ଗ। ବୋଦର ଠାରୁ ଅଇନିପୁରକୁ ସଂଯୋଗ କରୁଛି ଏହି ରାସ୍ତା। ରାଜ୍ୟପାଳ ଏହି ରାସ୍ତାକୁ ମଧ୍ୟ ଉଦଘାଟନ କରିଛନ୍ତି।କଲରାବାଙ୍କ ଗ୍ରାମର ଉନ୍ନତି ପାଇଁ ଅହରହ ଚିନ୍ତା କରିଥିବା ନୀଳିମାରାଣୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହା ସହ କଲରାବାଙ୍କରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ ରାଜ୍ୟପାଳ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ପୂଜ୍ୟ ବାବା ରାମ ନାରାୟଣ ଦାସ ମହାପାତ୍ର ଯୋଗ ଦେଇଛନ୍ତି।

କିଟ, କିସ ଓ କଲରାବାଙ୍କ ସ୍ମାର୍ଟ ଭିଲେଜର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, କଲରାବାଙ୍କର ଛାତ୍ର ଛାତ୍ରୀ ଓ ହଜାର ହଜାର କଲରାବାଙ୍କ ଓ ଆଖପାଖ ଗ୍ରାମବାସୀ ଯୋଗ ଦେଇଛନ୍ତି। ଏହି ଅଵସରରେ କଲରାବାଙ୍କ ସ୍ମାର୍ଟ ଭିଲେଜ ବ୍ୟାଟେରୀ ଗାଡିରେ ବୁଲି ଦେଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଦର୍ଶ ଗ୍ରାମର ବିଭିନ୍ନ ସ୍ଥାନ ବୁଲାଇ ଦେଖାଇଥିଲେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

କଲରାବାଙ୍କ ଗ୍ରାମ ବୁଲୁଥିବା ବେଳେ ରାଜ୍ୟପାଳଙ୍କ ମହାନତା ଦେଖିବାକୁ ମିଳିଛି। କଲରାବାଙ୍କର ଏକ ବାଳକକୁ ବ୍ୟାଟେରୀ ଗାଡିରେ ନିଜ ପାଖରେ ବସାଇଥିଲେ ରାଜ୍ୟପାଳ। ଏହି ସମାରୋହରେ ରାଜ୍ୟପାଳଙ୍କ ସମ୍ପର୍କରେ କହିବାକୁ ଯାଇ କହିଥିଲେ ଯେ, ସେ ହେଉଛନ୍ତି ପିପୁଲସ ଗଭର୍ଣ୍ଣର। ଆଜି କଲରାବାଙ୍କରେ ତାଙ୍କୁ ପାଇ ଆମେ ଗର୍ବିତ। ଏହି ସଭାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଥିଲେ ଯେ, ସାଧାରଣ ବ୍ୟକ୍ତିତ୍ୱ ଅଚ୍ୟୁତ ସାମନ୍ତ ଅସାଧାରଣ କାର୍ଯ୍ୟ କରି ପାରିଛନ୍ତି। କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା କହିଥିଲେ ଯେ, ଏହି ସଭାର ମୁଖ୍ୟ କାରଣ ହେଉଛି ଶିକ୍ଷା। ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଶିକ୍ଷାର ଉନ୍ନତି କରିବା। ଆଜି ତାଙ୍କର ତିରୋଧାନ ଦିବସ। ବିଜୁ ବାବୁଙ୍କ ସ୍ୱପ୍ନକୁ ପ୍ରଫେସର ଅଚ୍ୟୁତ ସାମନ୍ତ ପୁରଣ କରି ପାରିଛନ୍ତି। ଏହି ଅବସରରେ ନୀଳିମାରାଣୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗ୍ରାମର କୃତୀ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣରେ ସେ କହିଥିଲେ ଯେ, କଲରାବାଙ୍କ ଆଦର୍ଶ ଗ୍ରାମ ପରିଭ୍ରମଣ କରି ବହୁତ ଖୁସି ଲାଗିଲା। ନୀଳିମାରାଣୀ ଆଦିଶକ୍ତି ବୋଲି ଅଭିହିତ କରିବା ସହ ଅଚ୍ୟୁତ ସାମନ୍ତ ଭଗବାନଙ୍କର ଏକ ରୂପ ବୋଲି ଅଭିହିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.