ବିଜେଡି ଓ ବିଜେପି ମଧ୍ୟରେ ହୋଇଛି ମ୍ୟାଚ ଫିକ୍ସିଂ: କଂଗ୍ରେସ ନେତା ଆନନ୍ଦ ଶର୍ମା

ଭୁବନେଶ୍ବର : ବିଜେଡି ଓ ବିଜେପି ମଧ୍ୟରେ ମ୍ୟାଚ ଫିକ୍ସିଂ । ମୋଦି ସରକାରଙ୍କ ପକ୍ଷରୁ ନିଆଯାଉଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ସମର୍ଥନ କରୁଛି ବିଜେଡି । ଏପରି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଆନନ୍ଦ ଶର୍ମା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଆନନ୍ଦ ଶର୍ମା ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ଅଭିଯୋଗ କରିଛନ୍ତି., ବିମୁଦ୍ରୀକରଣ, ଜିଏସଟି ପରି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିରେ ବିଜେପି ସହ ସ୍ୱର ମିଳାଇଛି ବିଜେଡି । ଗୋଟିଏ ଫୋନ କଲରେ ବିଜେଡି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା, ସେମାନଙ୍କ ମଧ୍ୟରେ ଥିବା ବୁଝାମଣାକୁ ସ୍ପଷ୍ଟ କରିଛି । ମୁଖ୍ୟମନ୍ତ୍ରୀ କାହିଁକି ବିଜେପିର ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି, ବିଜେଡି ଏହାର ଉତ୍ତର ରଖିବାକୁ ଦାବି କରିଛନ୍ତି ଆନନ୍ଦ ଶର୍ମା । ଏହା ସହ ଆନନ୍ଦ ଶର୍ମା କହିଛନ୍ତି, ମୋଦି ସରକାରଙ୍କ ଯୋଗୁ ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଥିବା ବେଳେ ଜିଡିପି ମଧ୍ୟ କମିଛି । ଦେଶ ବର୍ତ୍ତମାନ ସଂକଟ ମଧ୍ୟରେ ଗତି କରୁଛି । ବିଜେପି ଦେଶ ବାସୀଙ୍କୁ ଭୂଆଁ ବୁଲାଉଛି । ଏଥିପାଇଁ ଅର୍ଥନୀତିର ଶ୍ୱେତପତ୍ର ଜାରି କରିବାକୁ ସେ ଦାବି କରିଛନ୍ତି ।

Leave A Reply

Your email address will not be published.