ପୁରୀ ସମୁଦ୍ରର ଭୟଙ୍କର ରୂପ, ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କ୍ଷତିଗ୍ରସ୍ତ ହୋଇଛି ବିଭିନ୍ନ ଦୋକାନ

ପୁରୀ(କେନ୍ୟୁଜ୍): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷାରେ ପୁରୀ ସହରର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏବେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ସମୁଦ୍ର ସଂପୁର୍ଣ୍ଣ ଅଶାନ୍ତ ରହିବା ସହିତ ସ୍ୱର୍ଗଦ୍ୱାର ସମ୍ମୁଖ ଭାଗକୁ ବଡ଼ ବଡ଼ ଢ଼େଉ ମାଡ଼ି ଆସୁଛି। ଗତ ଦୁଇଦିନ ହେବ ସମୁଦ୍ରର ଏଭଳି ଭୟଙ୍କର ରୂପ ଦେଖିବାକୁ ମିଳିଥିବା ବେଳେ ପର୍ଯ୍ୟଟକ ମାନେ ବିପଦପୂର୍ଣ୍ଣ ଭାବେ ଏଠାରେ ସ୍ନାନ କରୁଛନ୍ତି । ଯାହା ଫଳରେ କୌଣସି ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି କରିଛି ।

sea beachଅନ୍ୟପଟେ ସମୁଦ୍ରରେ ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚ ଜୁଆର ଆସିବା ଫଳରେ କୂଳରେ ଥିବା ଦୋକାନ କ୍ଷତିଗ୍ରସ୍ତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ଚଳିତ ବର୍ଷ ଜୁଆରର ପ୍ରଭାବ ଅଧିକ ଥିବା କୁହାଯାଉଛି। ବେଳାଭୂମିରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି ବୋଲି ସୂଚନା ମିଳିଛି। ଏହାସହ ବେଳାଭୂମିରେ ଲାଲ ପତାକା ଲାଗିଛି। ୩ କିମି ପର୍ଯ୍ୟନ୍ତ ବେଳାଭୂମିରେ ଦୌଡି ବନ୍ଧା ଯିବା ସହ ବେଳାଭୂମିରେ ଲାଇଫଗାର୍ଡ ମୃତୟନ ଅଛନ୍ତି। ସମୁଦ୍ରକୁ ନ ଯିବା ଲାଗି ହୁଇସୁଲ ଦେଇ ସଜାଗ କରୁଛନ୍ତି ବେଳାଭୂମି କର୍ମଚାରୀ।