ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର, ଆଜିକୁ ଠିକ ୧୦ ବର୍ଷ ତଳେ ହୋଇଥିଲା ବିବାହ
ଅନୁଭବ ପାଇଲେ ବିବାହ ବିଚ୍ଛେଦ ନିର୍ଦ୍ଦେଶନାମା । ୧୦ ବର୍ଷର ମିଛ ବିବାହ ବୋଲି କହିଲେ ଅନୁଭବ ମହାନ୍ତି । ଆଜିକୁ ଠିକ ୧୦ ବର୍ଷ ତଳେ ହୋଇଥିଲା ଅନୁଭବ ବର୍ଷାଙ୍କ ବିବାହ ।
କଟକ (କେନ୍ୟୁଜ): ଅନୁଭବ ପାଇଲେ ବିବାହ ବିଚ୍ଛେଦ ନିର୍ଦ୍ଦେଶନାମା । ୧୦ ବର୍ଷର ମିଛ ବିବାହ ବୋଲି କହିଲେ ଅନୁଭବ ମହାନ୍ତି । ହୃୟହୀନ ସଂପର୍କ ଓ କଷ୍ଟଦାୟକ ବର୍ଷ ଥିଲା । ’ଆଜିକୁ ଠିକ ୧୦ ବର୍ଷ ତଳେ ହୋଇଥିଲା ଅନୁଭବ ବର୍ଷାଙ୍କ ବିବାହ । ଦଶମ ବିବାହ ବାର୍ଷିକର ଗୋଟିଏ ଦିନ ପୂର୍ବରୁ ଛାଡପତ୍ର ନିର୍ଦ୍ଦେଶନାମା ପାଇଥିବା ଅନୁଭବ ଉଲ୍ଲେଖ କରିଛନ୍ତି । ଏନେଇ ଟ୍ୱିଟରରେ ନିଜର ସମର୍ଥକ ଓ ଫ୍ୟାନଙ୍କୁ ଧନ୍ୟବାଦ ଦେଇଛନ୍ତି ଅନୁଭବ ମହାନ୍ତି । ଏହାସହ ବର୍ଷାଙ୍କ ଖୁସି କାମନା ସହିତ ହାପି ରୋଜ ଡେ’ ର ଶୁଭେଚ୍ଛା ଜଣାଇଛନ୍ତି ।
ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଗତ ଡିସେମ୍ବର ୨୧ ତାରିଖରେ ଅନୁମତି ଦେଇଥିଲେ ହାଇକୋର୍ଟ। କଟକ ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟ ଖାରଜ କରିଥିଲେ। ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ଶିଵ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବ ମହାନ୍ତିଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କରିବା ସହିତ ବିବାହ ବିଚ୍ଛେଦ ଡିକ୍ରୀ ଦେବାକୁ କଟକ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। କଟକ ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି। ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ବହୁଚର୍ଚ୍ଚିତ ପାରିବାରିକ ବିବାଦର ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ଅନୁଭବ ମହାନ୍ତିଙ୍କ ପକ୍ଷରୁ ହୋଇଥିବା ଛାଡପତ୍ର ଆବେଦନକୁ ଖାରଜ କରିଥିଲେ କଟକ ପରିବାର ଅଦାଲତ।
ଅନ୍ୟ ପଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଉଭୟ ଏକତ୍ର ରହିବା ପାଇଁ କଟକ ପରିବାର ଅଦାଲତରେ ଏକ ପିଟିସନ କରିଥିଲେ। ଏହି ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଥିଲେ କଟକ ପରିବାର ଅଦାଲତ। ୨୦୨୦ ମସିହାରେ ପ୍ରଥମେ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ ପରିବାର ଅଦାଲତରେ ବିବାହ ବିଛେଦ ପାଇଁ ଆବେଦନ କରିଥିଲେ। ଏହି ମାମଲା ଓଡିଶାକୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ ହୋଇଥିଲା। ଶୁଣାଣିରେ ବହୁ ବିଳମ୍ବ ହେଉଥିବା ନେଇ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଇନଜୀବୀ ଲଳିତେନ୍ଦୁ ମିଶ୍ରଙ୍କ ଜରିଆରେ ଅପିଲରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଐତିହାସିକ ରାୟ ଓ କଟକ ପରିବାର ଅଦାଲତଙ୍କ ଡିକ୍ରୀ ପରେ ଏହି ବହୁଚର୍ଚ୍ଚିତ ପାରିବାରିକ ବିବାଦରେ ପୂର୍ଣ୍ଣଛେଦ ପଡିଛି।