Below header

ଟଳିଲା ଦୁଃଖ, ସରଗଡିହି ଗାଁର ୬ ଭଉଣୀଙ୍କ ଆଖିର ଲୁହ ପୋଛି କିସରେ ଥଇଥାନ ପାଇଁ ସହାୟତାର ହାତ ବଢାଇଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍‍ ସରସରାବଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସରଗିଡ଼ିହି ଗ୍ରାମର ୬ ଅସହାୟା ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍ । ୫ବର୍ଷ ତଳେ ଗ୍ରାମର ମନବୋଧ କିଷାନଙ୍କ ମୃତ୍ୟୁ ଘଟିବାରୁ ତାଙ୍କର ୬ ଝିଅ ପିତୃହରା ହୋଇପଡ଼ିଥିଲେ । ବିଧବା ମାଆ ଏହି ଝିଅମାନଙ୍କୁ ବହୁ କଷ୍ଟରେ ଲାଳନ ପାଳନ କରୁଥିଲେ । ମାତ୍ର ଗତ ୩ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିବାରୁ ଏହି ପିଲାମାନଙ୍କ ମୁହଁରେ ଦାନା ଦେବାକୁ ସେ ସଂପୂର୍ଣ୍ଣ ଅକ୍ଷମ ହୋଇପଡ଼ିଛନ୍ତି । ଘରର ପକ୍ଷାଘାତ ରୋଗୀ ମାଆଙ୍କ ସମେତ ଅନ୍ୟ ପାଞ୍ଚ ଭଉଣୀଙ୍କୁ ବଞ୍ଚାଇବା ପାଇଁ ବଡ଼ ଭଉଣୀ ଶୁକମଣୀ ଶେଷରେ ମୂଲ ଲାଗିବାକୁ ବାଧ୍ୟ ହୋଇଥିଲେ । ଗଣମାଧ୍ୟମରୁ ଏହି ଖବର ଜାଣିବା ପରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଡକାଇଥିଲେ । ରବିବାର କିସ୍‍ ପ୍ରତିନିଧିଙ୍କ ସହଯୋଗରେ ସ୍ୱର୍ଗତ ମନବୋଧଙ୍କ ଝିଅମାନେ କିସରେ  ପହଞ୍ଚିବା ପରେ ଶ୍ରୀ ସାମନ୍ତ ସେମାନଙ୍କ ସଂପର୍କରେ ପଚାରି ବୁଝିଥିଲେ ।

ସେମାନଙ୍କ ପରିବାରର କିଭଳି ଥଇଥାନ ହୋଇପାରିବ ସେ ନେଇ ଶ୍ରୀ ସାମନ୍ତ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଗାଁଆରେ ଦୁଃଖ କଷ୍ଟ ଓ ଅଭାବ ଅନଟନରେ ରହି ପାଠ ପଢ଼ି ପାରୁ ନ ଥିବା ୪ ଝିଅଙ୍କୁ କିସରେ ନାମ ଲେଖାଇ ସେମାନଙ୍କ ଶିକ୍ଷା ଦାୟିତ୍ୱ କିସ୍‍ ନେବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ସୁମିତା ୮ମ, ଫୁଲତୁଳୀ ୭ମ, ବେବୀ ୪ର୍ଥ ଏବଂ ଦେବିନୀ ଦ୍ୱିତୀୟ ଶ୍ରେଣୀରେ କିସ୍‍ରେ ପାଠ ପଢ଼ିବେ । ବଡ଼ ଝିଅ ମ୍ୟାଟ୍ରିକ୍‍ ପାସ୍‍ କରିଥିଲେ ମଧ୍ୟ ସାବାଳିକା ହୋଇନଥିବାରୁ ତାଙ୍କୁ ନିଯୁକ୍ତି ଦେବା ସମ୍ଭବ ହୋଇପରୁନଥିଲା ତେଣୁ ତାଙ୍କ ପରିବାରକୁ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

କିସରେ ଉପଯୁକ୍ତ ଶିକ୍ଷା ପାଇଲେ ଝିଅମାନଙ୍କ ଭବିଷ୍ୟତ ଅନ୍ତତଃ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ସାମନ୍ତ କହିବା ସହ ସେମାନଙ୍କ ଘର ତିଆରି ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏହା ବ୍ୟତୀତ ଅନ୍ୟ କୌଣସି ସହାୟତା ଆବଶ୍ୟକ ହେଲେ ତୁରନ୍ତ ତାହା କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏଣିକି ବଡ଼ ଭଉଣୀ ଶୁକମଣୀଙ୍କୁ ଅନ୍ତତଃ ମୂଲଲାଗିବାକୁ ପଡ଼ିବ ନାହିଁ । ଏଥିପାଇଁ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସ୍ୱର୍ଗତ ମନବୋଧ କିଷାନଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.