ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ମାନସ ସ୍ୱାଇଁ ହତ୍ୟା ମାମଲା ଚାଲିଛି ତନାଘନା,ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ୍

ଭୁବନେଶ୍ବର(କେନ୍ୟୁଜ୍): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା ତଦନ୍ତ । ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍‌ ଭଦ୍ରକ ଏସ୍‌ପିଙ୍କ ଅଫିସରେ ପହଞ୍ଚି ତଦନ୍ତ କରିଛନ୍ତି । ମାମଲା ତଦନ୍ତ ସଂପର୍କରେ କ୍ରାଇମବ୍ରାଞ୍ଚ ଟିମ୍‌ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନାଙ୍କ ସହ କରିଛନ୍ତି ଆଲୋଚନା । ଏହାପରେ ଚାନ୍ଦବାଲି ଥାନାରେ ପହଞ୍ଚି ଖୋଳତାଡ଼ କରିଛି ୫ ଜଣିଆ ଟିମ । ମାନସ ହତ୍ୟା ମାମଲାରେ ତଦନ୍ତର ବିଭିନ୍ନ ଦିଗ ନେଇ ପଚାରି ବୁଝିଛନ୍ତି । ମାମଲା ସଂପର୍କିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି ।

ଏବେବି ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ ପତ୍ତା ମିଳିନାହିଁ । ତାଙ୍କୁ ଧରିବାକୁ ରାଜ୍ୟ ବାହାରକୁ ଯାଇଛି କ୍ରାଇମବ୍ରାଞ୍ଚର ଆଉ ଏକ ଟିମ । ଏହା ପୂର୍ବରୁ ଗତକାଲି ଶର୍ମିଷ୍ଠାଙ୍କ ଘର ଓ ଅଫିସରେ ଚାନ୍ଦବାଲି ପୋଲିସ ଚଢ଼ାଉ କରି ସିଲ୍‌ କରିଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ହାର୍ଡ ଡିସ୍କ ଜବତ କରିଥିବା ସୂଚନା ମିଳିଛି । ସେହିପରି ଶର୍ମିଷ୍ଠା ରାଉତଙ୍କ କାର୍‌କୁ ସଂପୂର୍ଣ୍ଣ ଅଫିସ ନିକଟ ଏକ ଆପାର୍ଟମେଣ୍ଟ ପାର୍କିଂରୁ ଜବତ କରାଯାଇଥିଲା । ମାନସଙ୍କୁ ଚାନ୍ଦବାଲିରୁ ଅପହରଣଠୁ ମୃତଦେହ ନେବାରେ ଏହି କାର୍‌ ବ୍ୟବହାର ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ଫେରାର ପୂର୍ବରୁ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିବା ସୂଚନା ମିଳିଛି । ଗତ ୭ ତାରିଖ ବିଳମ୍ବିତ ରାତିରେ ଶାଶୂ ଓ ବଡ଼ ଯାଆ ରହୁଥିବା କୋଳିପସି ଗାଁରେ ପହଞ୍ଚିଥିଲେ ଶର୍ମିଷ୍ଠା । ସେଠାରେ ମିଛ କହି ରହିବା ପରେ ୧୦ ତାରିଖ ସକାଳେ ପଳାଇଥିଲେ । ଏନେଇ ତାଙ୍କ ଶାଶୂଙ୍କୁ ତଦନ୍ତକାରୀ ଟିମ୍‌ ପଚରାଉଚରା କରିଛି । ସେପଟେ ତାଙ୍କ ପୁଅକୁ ଶର୍ମିଷ୍ଠା ମାନସିକ ନିର୍ଯାତନା ଦେଉଥିବା ବେଳେ ଗତ ୨୦୧୮ ମସିହାରୁ ଶାଶୂଘର ସହିତ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି ଶାଶୂ କହିଛନ୍ତି ।

ମାନସ ସ୍ୱାଇଁ ହତ୍ୟା ମାମଲାରେ ଅନ୍ୟତମ ପ୍ରମୁଖ ଷଡଯନ୍ତ୍ରକାରୀ ନିରଞ୍ଜନ ସେଠୀଙ୍କ ସମେତ ୬ ଜଣ ଏବେ ଜେଲରେ । ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଶର୍ମିଷ୍ଠାଙ୍କ ଲିଙ୍କ୍‌ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଶର୍ମିଷ୍ଠାଙ୍କ ସହ ସେ ପ୍ରତିଦିନ ମୋବାଇଲ ଫୋନରେ ୫ରୁ ୬ ଥର କଥା ହେଉଥିଲେ । ହତ୍ୟାକାଣ୍ଡ ପରେ ଦିନକୁ ୨୦ରୁ ୨୫ ଥର ଏବଂ ଗୋଟିଏ ଦିନରେ ପ୍ରାୟ ୩୦ ଥର କଥା ହୋଇଥିବା ସିଡିଆରରୁ ଜଣାପଡ଼ିଛି । ଏଥିସହ ନିରଞ୍ଜନ ନିୟମିତ ଭାବେ ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମକୁ ଯାଉଥିଲେ ବୋଲି କୁହାଯାଉଛି । ଆଗକୁ କ୍ରାଇମବ୍ରାଞ୍ଚ ତଦନ୍ତ କେଉଁ ମୋଡ଼ ନେଉଛି ତାହା ଉପରେ ଏବେ ନଜର ।.

Leave A Reply

Your email address will not be published.