ଭକ୍ତ ଆସିବେ ନାହିଁ କି ଆଡ଼ମ୍ବର ହେବ ନାହିଁ, ଏମିତି ଦୁର୍ଗାପୂଜା ଲାଗି ମିଳିଲା ଅନୁମତି; ଜାଣନ୍ତୁ ଟ୍ଵିନ୍‌ସିଟି ପାଇଁ କଣ ଆସିଲା ପୂଜା ଗାଇଡ୍ ଲାଇନ୍

ଭୁବନେଶ୍ୱର : ମିଳିଲା ଗ୍ରୀନ୍ ସିଗନାଲ । ଟ୍ଵିନ୍ ସିଟିରେ ହେବ ଦୁର୍ଗା ପୂଜା। ମଣ୍ଡପରେ ପୂଜା ପାଇବେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି । ହେଲେ ମୂର୍ତ୍ତିର ଉଚ୍ଚତା ୫ ଫୁଟରୁ ଅଧିକ ହେବ ନାହିଁ। ସେହିପରି ମଣ୍ଡପରେ ୧୦ରୁ ଅଧିକ ଲୋକ ରହିବେ ନାହିଁ। ଆଲୋକମାଳା, ତୋରଣ ଓ ସାଜସଜା ହେବ ନାହିଁ କିମ୍ବା ମାଇକ ବାଜିବ ନାହିଁ। ସାର୍ବଜନୀନ ପୂଜା ପାଇଁ ଅନୁମତି ନାହିଁ। ଆହୁରି ମଧ୍ୟ ଚାନ୍ଦା ଆଦାୟକୁ ପ୍ରଶ୍ରୟ ଦିଆଯିବ ନାହିଁ ।

ଏଭଳି କଟକଣା ନେଇ ଏଥର ଦୁର୍ଗାପୂଜାରେ କେବଳ ପୂଜାର୍ଚ୍ଚନା ହିଁ ହେବ । ସାଧାରଣ ଲୋକେ ଘରେ ରହି ମା’ଙ୍କର କୁମାରୀ ପୂଜା ଏବଂ ବ୍ରତ ପାଳନ କରିବେ। ରାବଣ ପୋଡି ଓ ଭସାଣ ଉତ୍ସବ ଉପରେ ମଧ୍ୟ ରୋକ ଲାଗିବ । କେବଳ ଟ୍ରଲି ଓ ଅଟୋ ରିକ୍ସାରେ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ରହିଛି । ପାରମ୍ପରିକ ବାଦ୍ୟ ତେଲିଙ୍ଗି ଓ ଶଙ୍ଖ ସହ ଘଣ୍ଟଘଣ୍ଟା ବାଜିବା ପାଇଁ ଅନୁମତି ମିଳିବ । ଟ୍ବିନସିଟି ପୂଜା ମଣ୍ଡପରେ ଦୁର୍ଗା ପୂଜା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ଅନୁମତି ଦିଆଯାଇଛି ।

ଅନ୍ୟପକ୍ଷରେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ସମସ୍ତ ପୂଜା କମିଟି ଚଳିତ ବର୍ଷ ଦୁର୍ଗା ପୂଜା କରିବାକୁ ରାଜି ଅଛନ୍ତି । ତେବେ ଦୁର୍ଗା ପ୍ରତିମାଙ୍କ ଆକାରକୁ ନେଇ ଭିନ୍ନମତ ଆସିଛି । ଏ ନେଇ କମିଟି ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯିବ ଏବଂ ଯେଉଁ ଆକାରର ପ୍ରତିମୂର୍ତ୍ତି କରାଯାଉଥିଲା ସେହି ଆକାର ମୂର୍ତ୍ତି ଗଢ଼ିବା ପାଇଁ ଅନୁମତି ଦେବାକୁ ନିବେଦନ କରାଯିବ ବୋଲି କୁହାଯାଇଛି ।

 

 

Leave A Reply

Your email address will not be published.