ସ୍ମୃତିରେ ପ୍ରଣବ : ଜଣେ ବିଜ୍ଞ ରାଜନୀତିଜ୍ଞ, ସୁବକ୍ତା ଓ ଲେଖକ; ଓଡ଼ିଶାକୁ ଖୁବ୍ ଭଲ ପାଉଥିଲେ

ପ୍ରଣବ ମୁଖାର୍ଜୀ । ପୂରା ନାଁ ଡଃ ପ୍ରଣବ କୁମାର ମୁଖାର୍ଜୀ । ଭାରତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ୪୮ବର୍ଷ ଥିଲା ତାଙ୍କ ରାଜନୈତିକ ଜୀବନ । କେନ୍ଦ୍ର ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ ପ୍ରଣବ ଦା’ । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ମୀରାଟୀ ଠାରେ ତାଙ୍କର ଜନ୍ମ ହୋଇଥିଲା । ପ୍ରଣବଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଛୋଟ ବେଳରୁ ହିଁ ପିତାଙ୍କ ଦେଶପ୍ରେମର ପ୍ରଭାବ ପ୍ରଣବଙ୍କ ଉପରେ ପଡିଥିଲା । ସ୍କୁଲ ଶିକ୍ଷା ଶେଷ ପରେ ସେ ସୁରି ବିଦ୍ୟାସାଗର କଲେଜରେ ଅଧ୍ୟୟନ କରିଥିଲେ । ଇତିହାସ, ରାଜନୀତି ବିଜ୍ଞାନ, ଓ ଆଇନରେ ଡିଗ୍ରୀ ହାସଲ କରି ୧୯୬୩ ମସିହାରେ କଲିକତାସ୍ଥିତ ଏକ କଲେଜରୁ ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ । ନିଜ କ୍ୟାରିୟରରେ ପ୍ରଣବ ଜଣେ ସାମ୍ବାଦିକ ଭାବେ ମଧ୍ୟ କିଛି ଦିନ କାର‌୍ୟ୍ୟ କରିଥିଲେ ।

ସେ ସମୟରେ ବଙ୍ଗଳା ଭାଷାରେ ପ୍ରକାଶିତ ହେଉଥିବା ମାସିକ ପତ୍ରିକାରେ କିଛି ଦିନ କାମ କରିଥିବା ବେଳେ ପରେ ଏକ ସାପ୍ତାହିକ ପତ୍ରିକାରେ ମଧ୍ୟ କାର‌୍ୟ୍ୟ କରିଥିଲେ । ପ୍ରଣବଙ୍କ ରାଜନୈତିକ ଜୀବନ ୧୯୬୯ ମସିହାରେ ଆରମ୍ଭ ହୋଇଥିଲା

pranab

ସେହି ବର୍ଷ ସେ ପ୍ରଥମଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ନିଜ ଜୀବନ କାଳରେ ସେ ମୋଟ ପାଞ୍ଚ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୧୨ମଧ୍ୟ ଭାଗ ପର‌୍ୟ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ । ୨୦୧୨ରେ ପ୍ରଣବ ରାଷ୍ଟ୍ରପତି ପଦବି ଅଳଙ୍କୃତ କରିଥିଲେ । ନିଜ ରାଜନୈତିକ ଜୀବନର ପ୍ରଥମ ଭାଗରେ ହିଁ ପ୍ରଣବ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନୁଗତ ହୋଇ ପାରିଥିଲେ । ୧୯୭୩ ମସିହାରୁ ହିଁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଇଥିଲେ । ୧୯୮୨ ମସିହାରେ ସେ ପ୍ରଥମ ଥର କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । କିନ୍ତୁ ୧୯୮୪ରେ ଇନ୍ଦିରାଙ୍କ ମୃତ୍ୟୁ ପରେ ରାଜୀବ ଗାନ୍ଧୀଙ୍କ ପ୍ରଧାନ ମନ୍ତ୍ରିତ୍ୱ ସମୟରେ କିଛି ଅସନ୍ତୋଷ ସୃଷ୍ଟି ହେବାରୁ ସେ ୧୯୮୬ରେ କଂଗ୍ରେସ ଛାଡି ୧୯୮୭ରେ ନିଜେ ଏକ ଛୋଟ ଦଳ ଗଠନ କରିଥିଲେ ।

pranaba

କିନ୍ତୁ କଂଗ୍ରେସରୁ ବେଶି ଦିନ ଦୂରେଇ ରହି ପାରିନଥିଲେ ପ୍ରଣବ ଦା’ । ୧୯୮୯ରେ ହୋଇଥିଲା ତାଙ୍କ ଘର ବାହୁଡା । ୧୯୯୧ ପରଠାରୁ ତାଙ୍କର ଭାଗ୍ୟ ଉଦୟ ହୋଇଥିଲା । ପିଭି ନରସିଂହ ରାଓଙ୍କ ପ୍ରଧାନ ମନ୍ତ୍ରିତ୍ୱ ସମୟରେ ବାଣିଜ୍ୟ, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ପରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ଭାର ତାଙ୍କ କାନ୍ଧକୁ ଆସିଥିଲା । ନିଜ ରାଜନୈତିକ କ୍ୟାରିୟରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବି ସମ୍ଭାଳି ଥିଲେ ପ୍ରଣବ । ଦେଶ ବ୍ୟତୀତ ବିଦେଶରେ ବି ଅନେକ ଜରୁରୀ କାର‌୍ୟ୍ୟଭାର ତୁଲାଇଥିଲେ ପ୍ରଣବ ମୁଖାର୍ଜୀ । ଆଫ୍ରିକାନ ଡେଭେଲପମେଣ୍ଟ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ବ ବ୍ୟାଙ୍କରେ ମଧ୍ୟ ପଦବି ସମ୍ଭାଳି ନିଜର ଛାପ ଛାଡ଼ି ଯାଇଥିଲେ । କିନ୍ତୁ ୨୦୧୨ମସିହା ଜୁନ ମାସରେ କଂଗ୍ରେସ ଦଳ ମୁଖାର୍ଜୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିଲେ । ଆଉ ସେ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଗଲେ ।ସେ ସମୟରେ ତାଙ୍କର କେହି ବି ପ୍ରତିଦ୍ବନ୍ଦୀ ନଥିବାରୁ ସେହି ବର୍ଷ ଜୁଲାଇ ମାସରେ ହିଁ ନିର୍ଦ୍ୱନ୍ଦ୍ୱରେ ଭାରତର ତ୍ରୟୋଦଶ ରାଷ୍ଟ୍ରପତି ହୋଇଥିଲେ । ନିଜ ଦୀର୍ଘ ବର୍ଷର ଅନୁଭବ, ଅଭିଜ୍ଞତାକୁ ନେଇ ପ୍ରଣବ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ବି ଖୁବ ଦାୟିତ୍ୱ ଓ ମର‌୍ୟ୍ୟାଦାର ସହ ତୁଲାଇ ଥିଲେ । ୨୦୧୭ରେ ତାଙ୍କ ରାଷ୍ଟ୍ରପତି କାଳ ଶେଷ ହୋଇଥିଲା । ଜଣେ ଭଲ ରାଜନୀତିଜ୍ଞ ସହ ସେ ଜଣେ ଭଲ ଲେଖକ ଏବଂ ବକ୍ତା ଥିଲେ ।

ଓଡ଼ିଶା ପ୍ରତି ଥିଲା ପ୍ରଣବ ଦା’ଙ୍କର ଭିନ୍ନ ଏକ ଆକର୍ଷଣ

ଓଡିଶା ପ୍ରତି ପ୍ରଣବଙ୍କର ବେଶ୍ କିଛିଟା ଭିନ୍ନ ନିବିଡ଼ତା ଥିଲା । ନିଜ ଜୀବନ କାଳ ଭିତରେ ଅନେକ ଥର ଓଡ଼ିଶା ଆସିଛନ୍ତି ସେ । ରାଷ୍ଟ୍ରପତି ଥିବା ବେଳେ ଦୁଇ ଦୁଇ ଥର ଓଡିଶା ମାଟିରେ ପାଦ ଦେଇଛନ୍ତି । ଯେବେବି ଆସିଲେ ଶ୍ରୀଶ୍ରୀକ୍ଷେତ୍ର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଭୁଲନ୍ତି ନାହିଁ । ଓଡ଼ିଆ ଖାଦ୍ୟ ପ୍ରତି ବି ତାଙ୍କର ଥିଲା ଏକ ସ୍ୱତନ୍ତ୍ର ରୁଚି । ପ୍ରଣବଙ୍କ ଅସୁସ୍ଥତା ଖବର ଜଣାପଡ଼ିବା ପରେ ତାଙ୍କର ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.