କିଟ୍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ: ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  କିଟ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁଣାତ୍ମକ ଶିକ୍ଷା ଓ ଗବେଷଣାର ଧାରା ବଜାୟ ରଖି ଭାରତକୁ ବିଶ୍ୱସ୍ତରରେ ଜ୍ଞାନ ଅର୍ଥନୀତିରେ ଶୀର୍ଷ ପହଞ୍ଚାଇବା ଦିଗରେ ଆସିଥିବା କିଟ୍‌ ବିଶ୍ୱବିଦ୍ୟାଳୟ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏକଥା କହିଛନ୍ତି ଶିକ୍ଷାମନ୍ତ୍ରୀ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ଯେଉଁ ସବୁ ଜ୍ଞାନ ଆହରଣ କରିଛନ୍ତି ତାହା ଭବିଷ୍ୟତ ର୍ନିମାଣ କରିବାରେ ସହାୟକ ହେବ । ଉତ୍କର୍ଷତା ଲାଗି ପ୍ରୟାସ ଜାରି ରଖିଥିବା ବେଳେ ଯେଉଁ ସଫଳତା ହାସଲ କରିବେ ତାହା ସମାଜର ଦୁର୍ବଳ ବର୍ଗଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଥିଲେ, ସଂପ୍ରତି ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି -୨୦୨୦ ଭାରତରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବ ।

ଚଳିତବର୍ଷ କରୋନା କଟକଣା ମଧ୍ୟରେ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‌ ମୋଡରେ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଆଧ୍ୟାତ୍ମିକ ସାଧ୍ୱୀ ମାତା ଅମୃତାନନ୍ଦମୟୀ ଦେବୀଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଏନାମ୍‌ ଗ୍ରୁପ୍‌ ଏବଂ ଦେଶ ଆପନାଏଁ ସହଯୋଗ ଫାଉଣ୍ଡେସନ୍‌’ର ପ୍ରତିଷ୍ଠାତା ତଥା ଫ୍ଲେମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ନିର୍ଦ୍ଦେଶକ ବଲ୍ଲଭ ଭନସାଲୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି ।

ସମାବର୍ତ୍ତନରେ କିଟ୍‌ ବିଶ୍ୱବିଦ୍ୟାଳୟର ୨୦୨୦-୨୧ ବ୍ୟାଚର ମୋଟ ୭ହଜାର ୩୨ଜଣ ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲ୍‌ ମୋଡରେ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଆୟୁଷ କୁମାର, ବାସେଲ୍‌ ନାସର ଓ ସୁଧାଂଶୁ ଉପାଧ୍ୟାୟଙ୍କୁ ଚଳିତବର୍ଷର ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୨୨ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୩୧ଜଣଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ନନୀବାଳା ସ୍ୱର୍ଣ୍ଣ ପଦକ, ଶ୍ରୀକୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣ ପଦକ, ପି. କେ. ବଳ ସ୍ମାରକୀ ସ୍ୱର୍ଣ୍ଣ ପଦକ, ପିପିଏଲ୍‌ ସ୍ୱର୍ଣ୍ଣ ପଦକ ଦିଆଯାଇଛି । ୬୧ ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.