Below header

ନିରବି ଗଲେ ଯଶ୍ବସୀ ମନୋଜ, ଗଭୀର ଶୋକ ବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

କେନ୍ୟୁଜ୍(ବ୍ୟୁରୋ): ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି ମାସ ହେବ ଅସୁସ୍ଥ ଥିଲେ । ପଣ୍ଡିଚେରୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ସନ୍ଧ୍ୟା ୮ଟା ୧୦ ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି । ମନୋଜ ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଶୀ  ଲାଲଙ୍କ ଶୋକ

ରାଜ୍ୟପାଳ ପ୍ରଫେସର ଗଣେଶୀ  ଲାଲ ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମାନ୍ୟବର ରାଜ୍ୟପାଳ କହିଛନ୍ତି ଯେ, ସେ ତାଙ୍କର କାଳଜୟୀ ସାହିତ୍ୟିକ କାର୍ଯ୍ୟ ମାଧ୍ୟମରେ ଆଗାମୀ ପୀଢିଙ୍କୁ ପ୍ରେରଣା ଯୋଗାଇବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋଜ ଦାସଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଉତ୍କଳ ଜନନୀ ଅନ୍ୟତମ ସୁଯୋଗ୍ୟ ସନ୍ତାନକୁ ହରାଇଲା। ରାଷ୍ଟ୍ରୀୟ ସମ୍ମାନର ସହ ମନୋଜ ଦାସଙ୍କ ଶେଷ କୃତ୍ୟ କରିବାକୁ ଓଡ଼ିଶା ସରକାରଙ୍କ ତରଫରୁ ପୁଡୁଚେରୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନୋଜ ଦାସଙ୍କ ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗ ଦେବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

କନ୍ଧମାଳ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଶୋକ

ସେହିପରି କନ୍ଧମାଳ ସାଂସଦ ତଥା କିଟ୍ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ସାହିତ୍ୟିକ  ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଟ୍ବିଟରରେ ଲେଖିଛନ୍ତି  ‘‘ପ୍ରବୀଣ ସାରସ୍ୱତ ସାଧକ, ବିଶ୍ବ ବିଖ୍ୟାତ ଦାର୍ଶନିକ ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ। ଓଡ଼ିଶାର ଏହି ମହାନ ବରପୁତ୍ରଙ୍କ କାଳଜୟୀ ସାରସ୍ୱତ ସୃଷ୍ଟି ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ବ ତାଙ୍କୁ ଚିରକାଳ ପାଇଁ ଅମର କରି ରଖିବ। ମହାନ ଆତ୍ମାର ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି’’।

କାଦମ୍ବିନୀର ସଂପାଦିକା ତଥା ସାହିତ୍ୟିକ ଡ.ଇତିରାଣୀ ସାମନ୍ତଙ୍କ ଶୋକ

ସେହିପରି କାଦମ୍ବିନୀର ସଂପାଦିକା ତଥା ସାହିତ୍ୟିକ ଡ.ଇତିରାଣୀ ସାମନ୍ତ ମନୋଜ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗ  ଓ ତାଙ୍କ ଅନୁଗାମୀଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଡ. ସାମନ୍ତ କହିଛନ୍ତି ମନୋଜ ଦାସଙ୍କ ବିୟୋଙ୍କ  ଏକ ଯୁଗର ଅବସାନ। ସେ ଅତ୍ୟନ୍ତ ଭଲ ଓ ସ୍ନେହୀ ମଣିଷ ଥିଲେ।  ସର୍ବଦା ସେ ସାହିତ୍ୟ ପ୍ରେମୀଙ୍କ ମନରେ ରହିବେ ବୋଲି ଡ. ସାମନ୍ତ କହିଛନ୍ତି।

ଆନ୍ଧ୍ରରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଶୋକ

ବିଶିଷ୍ଟ ସାରସ୍ୱତ ସାଧକ ପ୍ରଖ୍ୟାତ ସାହିତ୍ୟିକ ପଦ୍ମବିଭୂଷଣ ଶ୍ରୀ ମନୋଜ ଦାସଙ୍କ ବିୟୋଗରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସାହିତ୍ୟ ଜଗତରୁ ଏକ ଉଜ୍ଜ୍ୱଳ ତାରକା ଖସି ପଡ଼ିଲା ବୋଲି କହିଛନ୍ତି।  । ତାଙ୍କ ବିୟୋଗ ସାହିତ୍ୟ ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି ଓ ଶୂନ୍ୟସ୍ଥାନନ ସୃଷ୍ଟି ହୋଇଥିବା ଟ୍ବିଟ ଯୋଗେ  ଆନ୍ଧ୍ରପ୍ରଦେଶ  ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ବିଶିଷ୍ଟ ସାହିତ୍ୟିକ, କଥାକାର ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଆ ଭାଷା, ଭାରତୀୟ ଓ ବିଦେଶୀ ଭାଷାରେ ତାଙ୍କର କାଳଜୟୀ ସୃଷ୍ଟି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ । ଶ୍ରୀ ଦାସଙ୍କ ବିୟୋଗରେ ଓଡ଼ିଶା ତଥା ଭାରତ ସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି। ଶ୍ରୀ ଦାସଙ୍କ ପରିବାର ସଦସ୍ୟା ଡା. ରଞ୍ଜିତା ଦାସଙ୍କ ସହ ଫୋନରେ କଥା ହୋଇ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି ।ପୁଡୁଚେରୀ ଉପରାଜ୍ୟପାଳ ସହ ଫୋନ୍ ଯୋଗେ କଥା ହୋଇ ସାରସ୍ୱତ ସାଧକ ସ୍ୱର୍ଗତ ଦାସଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅନୁରୋଧ  କରିଥିବା ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.