ଆପ୍‌ ଜରିଆରେ ଠକି ନେଲା ୯କୋଟି ଟଙ୍କା, ଅଭିଯୁକ୍ତକୁ ପୁଣେରୁ ଗିରଫ କଲା EOW

ଆପ୍‌ ଜରିଆରେ ପଞ୍ଜି ସ୍କାମରେ ୯କୋଟିର ଠକେଇରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ବିଶାଲ ସଖାରାମ ଉତ୍‌କାରଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ପୁଣେ କୋର୍ଟରେ ହାଜର କରିବା ପରେ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଓଡ଼ିଶା ।

ଭୁବନେଶ୍ୱର (କେନ୍ୟୁଜ): ଆପ୍‌ ଜରିଆରେ ପଞ୍ଜି ସ୍କାମରେ ୯କୋଟିର ଠକେଇରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ବିଶାଲ ସଖାରାମ ଉତ୍‌କାରଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତକୁ ପୁଣେ କୋର୍ଟରେ ହାଜର କରିବା ପରେ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଓଡ଼ିଶା । କାଲି କଟକର ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ହାଜର କରାଯିବ । ଅଭିଯୁକ୍ତକୁ ଗିରଫ ସହ ଗେଟ ସୋ ଆପ ଜରିଆରେ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଛି ।

ଭୁବନେଶ୍ୱର ନୟାପଲ୍ଲୀର ଦିବ୍ୟଜ୍ୟୋତି କରଙ୍କ ସହ ଯୋଗାଯୋଗ ହେବା ପରେ ତାଙ୍କୁ କ୍ରିପ୍‌ଟୋ ମାଇନିଂରେ ନିବେଶ ପାଇଁ ପ୍ରବର୍ତ୍ତାଇଥିଲେ ବିଶାଳ ଉତ୍‌କାର । ନିଜକୁ ଏକ କମ୍ପାନୀର ମ୍ୟାନେଜର ଭାବେ ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କ ଜରିଆରେ ହ୍ଵାଟ୍‌ସ ଅପ୍‌ ଗ୍ରୁପ ସହ ଯୋଡ଼ି ହୋଇ ଗେଟ୍‌ସୋ ଆପ୍‌ରେ କ୍ରିପଟୋ ମାଇନିଂ କରିବାକୁ କହିଥିଲେ । ଏଥିରେ ତାଙ୍କ ନିବେଶରେ ଦୈନିକ ୬ପ୍ରତିଶତ ରିଟର୍ଣ୍ଣ ସହ ଯେକୌଣସି ସମୟର୍‌ ଟଙ୍କା ଉଠାଇବାର ସୁବିଧା ଥିବା ଦର୍ଶାଇଥିଲେ ।

ଏଥିରେ ଆକୃଷ୍ଟ ହୋଇ ଦିବ୍ୟଜ୍ୟୋତି ବିଭିନ୍ନ ପର୍ଯ୍ୟାୟରେ ଗତବର୍ଷ ଅକ୍ଟୋବରରୁ ଡିସେମ୍ବର ୨୨ମଧ୍ୟରେ ଏକ ଲକ୍ଷ ୨୭ହଜାର ଟଙ୍କା ଜମା କରିଥିଲେ । ପରେ ବନ୍ଦ ହୋଇଯାଇଥିଲା ହ୍ଵାଟ୍‌ସ ଆପ୍‌ ଗ୍ରୁପ୍‌ । ଏନେଇ ଅଭିଯୋଗକାରୀ କ୍ରାଇମବ୍ରାଞ୍ଚ ଇଓଡବ୍‌ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ବେଳେ ସାରା ଓଡ଼ିଶାର ଶହେରୁ ଅଧିକ ନିବେଶକ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ବିଶାଳର ଗୋଟିଏ ଆକାଉଣ୍ଟରେ ୯କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ତା ନାଁରେ ଆଉ ୭ଟି ଆକାଉଣ୍ଟ ରହିଛି। ଏହିପରି ସମୁଦାୟ ୧୪୧ କୋଟି ଟଙ୍କାର ଠକେଇ ହୋଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଇଓଡବ୍‌ଲ୍ୟୁ ଏସପି ଦିଲ୍ଲୀପ ତ୍ରିପାଠୀ।