ଜଳେଶ୍ୱରରେ ତାଣ୍ଡବ ରଚିଲା ପଶ୍ଚିମା ଝଡ଼: ଭାଙ୍ଗିଲା ଗଛ, ଉଡିଲା ଚାଳ
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତରେ ସଂଧ୍ୟାରେ ହୋଇଥିବା ପଶ୍ଚିମା ଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ସ୍ଥାନରେ ବିଜୁଳି ଖୁଣ୍ଟ ଉପୁଡ଼ି ରାସ୍ତାରେ ପଡିଛି।

ଜଳେଶ୍ୱର (କେନ୍ୟୁଜ): ତାଣ୍ଡବ ରଚିଲା ପଶ୍ଚିମା ଝଡ଼। ଭାଙ୍ଗିଲା ବଡ଼ ବଡ଼ ଗଛ। ତୀବ୍ର ପବନରେ ଉଡିଗଲା ଅନେକ ଘରର ଚାଳ ଛପର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତରେ ସଂଧ୍ୟାରେ ହୋଇଥିବା ପଶ୍ଚିମା ଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ସ୍ଥାନରେ ବିଜୁଳି ଖୁଣ୍ଟ ଉପୁଡ଼ି ରାସ୍ତାରେ ପଡିଛି। ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ଗଛ ପଡ଼ି ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ବହୁ ଅଞ୍ଚଳରେ ଘର ଉପରେ ଗଛ ପଡିବାରୁ ଘର ଭାଙ୍ଗି ଯାଇଛି। ଅଗ୍ନିଶମ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରଖିଛନ୍ତି।
ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ବଦଳିବ ପାଗ , ଫେରିବ ତାତି । କାଲି ଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ଆଜି ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ହେଉଛି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା। ଗତକାଲି ସନ୍ଧ୍ୟାରୁ ଅସରାଏ ବର୍ଷା ବର୍ଷିବା ପରେ ପୁଣି ପଶ୍ଚିମା ଝଡ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ସକାଳୁ ବର୍ଷା ହୋଇଥିଲା । ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ yellow warning ଜାରି କରିଛି ପାଣିପାଗ ବିଭାଗ।