ବାଲେଶ୍ୱର: ଫେସ୍ବୁକ୍ ରୁ ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଲେ ପ୍ରେମିକ
ବାଲେଶ୍ୱର(କେନ୍ୟୁଜ୍): ଆପଣ ଅନେକ ବାହାଘର ଦେଖିଥିବେ । ଲଭ୍ ମ୍ୟାରେଜ୍, ଆରେଞ୍ଜ ମ୍ୟାରେଜ୍, କୋର୍ଟ ମ୍ୟାରେଜ୍ ଶୁଣିଥିବେ । ହେଲେ ଏମିତି ବାହାଘର ହେବ କେବେ ଭାବି ନଥିବେ ପ୍ରେମି ଯୁଗଳ । ପ୍ରେମିକାକୁ ଦେଖା କରିବାକୁ ଯାଇ ଫସିଗଲେ ପ୍ରେମିକ । ଗାଁଲୋକେ କାବୁ କରି ବିବାହ କରାଇଦେଲେ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୋର ଗୁଲୁଣିଆ ଗାଁର ସୁରେନ୍ଦ୍ର ବେହେରାଙ୍କ ଝିଅ କୁବାବୁପାଟଣା ଗାଁର ଯୁଧିଷ୍ଠିର ବେହେରାଙ୍କ ପୁଅ ବୈକୁଣ୍ଠକୁ ପ୍ରେମ କରୁଥିଲେ । ଫେସ୍ବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ । ଦୁହେଁ ଫୋନ୍ ନମ୍ବର ନେଇ କଥା ହେଉଥିଲେ । ଗତକାଲି ଝିଅର ପରିବାର ଲୋକ ଘରେ ନଥିବାରୁ ପ୍ରେମିକାକୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ ବୈକୁଣ୍ଠ । ଗାଁ ଲୋକ ପ୍ରେମୀ ଯୁଗଳଙ୍କୁ ଏକାଠି ଥିବା ଦେଖି ଝିଅର ମାଆକୁ ଖବର ଦେଇଥିଲେ । ରାତିରେ ଦୁଇ ଜଣଙ୍କ ବିବାହ କରାଇ ଦେଇଥିଲେ ।