ମିଳିଲା ଅନୁମତି, ପହିଲାରୁ ବଟାନିକାଲ ଗାର୍ଡେନରେ ବଣଭୋଜି

ଭୁବନେଶ୍ୱର (କେନ୍ୟୁଜ): ଏବେ ପିକନିକ୍ ଋତୁ । ଆଉ କିଛି ଦିନ ପରେ ପୁରୁଣା ବର୍ଷ ବିଦାୟ ନେବ । ନୂଆ ବର୍ଷ ପ୍ରବେଶ କରିବ। ଚାରିଆଡେ ନୂତନତ୍ୱର ସ୍ପର୍ଶ । ଏବେ ସମସ୍ତଙ୍କ ମନରେ ବିଭିନ୍ନ ବଣଭୋଜି ଓ ସ୍ଥାନ ଭ୍ରମଣ କରିବା ପାଇଁ ଇଛା ନିଶ୍ଚିତ ଥିବ । ହେଲେ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ଏହାରି ଭିତରେ ଡିସେମ୍ବର ୧ ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । ବନ ବିଭାଗ ଅଧୀନ ବଣଭୋଜି ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ। ତେବେ ଅନୁମତି ନେବା ସମୟରେ କରୋନା କଟକଣା ଯେପରି ପାଳନ ହୁଏ ସେଥିପ୍ରତି କଡ଼ା‌ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ନନ୍ଦନକାନନସ୍ଥିତ ଉଦ୍ଭିଦ ଉଦ୍ୟାନ(ବଟାନିକାଲ୍‌ ଗାର୍ଡେନ୍‌), ଜୟଦେବ ବାଟିକା ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନେ ବଣଭୋଜି କରିପାରିବେ।

ଡିସେମ୍ବର ପହିଲାରୁ ନନ୍ଦନକାନନସ୍ଥିତ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକମା‌ନେ ଭୋଜି କରିପାରିବେ। ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ଯେଉଁମାନେ ଭୋଜି ଭାତ କରିବାକୁ ଚାହୁଁଥିବେ ସେମାନେ ନନ୍ଦନକାନନର ଅଫିସିଆଲ ୱେବସାଇଟକୁ ଯାଇ ବୁକିଂ କରିପାରିବେ । ନନ୍ଦନକାନନରେ ଥିବା ବଟନିକାଲ ଗାର୍ଡେନର ପିଣ୍ଡି ଏବଂ କଟେଜକୁ ବୁକ କରିବା ପରେ ପର୍ଯ୍ୟଟକ ଯାଇ ଭୋଜି ଭାତ କରିପାରିବେ । ଏଠାରେ ଥିବା‌ ମୋଟ୍‌ ୬୪ ଖୋଲା ପିଣ୍ଡିରୁ ଛୋଟ ୫ଟି ପିଣ୍ଡିର ଟିକେଟ୍‌ ମୂଲ୍ୟ ୩୦୦ ଟଙ୍କା, ୫୯ଟି ବଡ଼ ପିଣ୍ଡିର ଟିକେଟ ମୂଲ୍ୟ ୫୫୦ଟଙ୍କା ରହିଛି। ୮ଟି ପିକ୍‌ନିକ୍‌ ସେଡ୍‌ ବା ରୋଷଶାଳାର ମୂଲ୍ୟ ୧୧୦୦ଟଙ୍କା ରହିଛି । ୧୦ଟି ସ୍ବତନ୍ତ୍ର ପିଣ୍ଡିର ମୂଲ୍ୟ ୧୬୦୦ ଟଙ୍କା, ୨ଟି ହଲିଉଡ୍‌ କଟେଜ୍‌ର ଟିକେଟ୍‌ ମୂଲ୍ୟ ୨୬୦୦ ଟଙ୍କା ଲେଖାଏ ଓ ଗୋଟିଏ ଏଫ୍‌ଆର୍‌ଏଚ୍ କଟେଜ୍‌ର ଟିକେଟ ମୂଲ୍ୟ ୨୬୦୦ ଟଙ୍କା ରଖାଯାଇଛି । ସେହିଭଳି ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପ୍ରବେଶ ଟିକେଟ ଦର ୨୦ ଟଙ୍କା ରହିଛି।

ସେହିପରି ଜୟଦେବ ବାଟିକାରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ଏଠାରେ ୩୦ଟି ସ୍ବତନ୍ତ୍ର ଟିଣ, ଚାଳ ଛପର ପିଣ୍ଡି ରହିଛି । ଏହାବ୍ୟତୀତ ଜଙ୍ଗଲ ଭିତରେ ଭୋଜି ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ଥିବା ୧୩୦ଟି ସ୍ଥାନ ଚିହ୍ନଟ ହୋଇଛି । ସ୍ବତନ୍ତ୍ର ପିଣ୍ଡିରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ୧୮୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜି ପାଇଁ ୮୦୦ ଟଙ୍କା ଲେଖାଏ ଫି’ ରହିଛି । ଏହାବାଦ୍‌ ବାଟିକାକୁ ପ୍ରବେଶ ବାବଦରେ ଅଲଗା ଫି’ ଆଦାୟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.