କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା !

ଭୁବନେଶ୍ବର : ନିଜର ବାକ୍ୟ ପାଇଁ ଫସିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଏହି ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା । ପୁରୀ ଟାଉନ ଥାନାରେ ଜଗନ୍ନାଥପ୍ରେମୀ ଯୁବମଞ୍ଚ ଏତଲା ଦେଇଛି । ରଥ ଉପରେ ଗଜପତି ମହାରାଜଙ୍କ ଛେରାପହଁରାକୁ ଝାଡୁ ମାରିବା ଓ ଗଜପତିଙ୍କ କାର୍ୟ୍ୟକୁ ଝାଡୁଦାରଙ୍କ କାମ ସହ ତୁଳନା ନେଇ ରାଜନୀତି ଜୋର୍ ଧରିଛି । ଏଭଳି ତୁଳନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ଧର୍ମେନ୍ଦ୍ର କ୍ଷମା ମାଗନ୍ତୁ ବୋଲି ବିଜେଡି ଓ କଂଗ୍ରେସ ଦାବି କରିଛନ୍ତି । ତେବେ ଏ କଥାକୁ ନେଇ ରାଜନୀତି କରାନଯାଉ ବୋଲି ବିଜେପି ପରାମର୍ଶ ଦେଇଛି।

ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ଜଗନ୍ନାଥଙ୍କ ସଂପର୍କରେ ଧର୍ମେନ୍ଦ୍ରଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ଗଜପତିଙ୍କୁ କାଞ୍ଚିରାଜା ଝାଡୁଦାର କହିଥିବାରୁ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ଏବେ ଠାକୁର ତାଙ୍କ ଲୀଳା ଦେଖାଇବେ ବୋଲି ମହେଶ୍ୱର କହିଛନ୍ତି । ସେହିପରି ଧର୍ମେନ୍ଦ୍ର ସାଧାରଣରେ କ୍ଷମା ମାଗିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ସେପଟେ ଧର୍ମେନ୍ଦ୍ରଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି ।

ଗଜପତିଙ୍କୁ ଝାଡୁଦାର ଓ ଛେରାପହଁରାକୁ ସ୍ୱଚ୍ଛଭାରତ କାର୍ୟ୍ୟକ୍ରମ ସହ ଯୋଡ଼ିବା ଘଟଣା ସଂସ୍କୃତି ବିଶେଷଜ୍ଞମାନଙ୍କୁ ମର୍ମାହତ କରିଛି । ଏ ବିବାଦ ଭିତରେ କିନ୍ତୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଏନେଇ ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମଞ୍ଚ କହିଛି, ଶ୍ରୀଜଗନ୍ନାଥ ଓ ଗଜପତି ମହାରାଜାଙ୍କୁ ଧର୍ମେନ୍ଦ୍ର ଅପମାନିତ କରିଛନ୍ତି । ତାଙ୍କ ମନ୍ତବ୍ୟ ଶ୍ରୀଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ ଧର୍ମେନ୍ଦ୍ର ମୁକ୍ତି ମଣ୍ଡପ ଆସି ନିଃସର୍ତ୍ତ କ୍ଷମା ମାଗିବାକୁ ଜଗନ୍ନାଥପ୍ରେମୀ ଯୁବମଞ୍ଚ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.