ଗବର ସିଂର ଦାଦାଗିରିରେ ଅତିଷ୍ଠ ହେଲେ ମହିଳା, ତିନି କିଲୋମିଟର ଟେକି ନେଇ ଦେଲେ ପୋଲିସର ଜିମା
ମୟୂରଭଞ୍ଜ (କେନ୍ୟୁଜ): ଗବର ସିଂର ଦାଦାଗିରିରେ ଅତିଷ୍ଠ ହୋଇ ଶେଷରେ ଗ୍ରାମର କିଛି ମହିଳା ଗବରକୁ ଧରି ଦେଇଛନ୍ତି ଉତ୍ତମ ମଧ୍ୟମ । ଏଥି ସହ ତିନି କିଲୋମିଟର ଟେକି ଆଣି ପୋଲିସ ଜିମାରେ ଦେବା ସହ ଗବରକୁ ଆଇନ ଅନୁସାରେ କଠୋର ଦଣ୍ଡ ଦେବା ପାଇଁ ନିବେଦନ କରିଛନ୍ତି ଗ୍ରାମର ମହିଳା।
ଖବର ଅନୁଯାଇ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧିନ ଘୋଳମୁଁହା ପଞ୍ଚାୟତର ନୂଆସାହି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଗତକଲି ଘଟିଛି l ଅପରାହ୍ନ ପ୍ରାୟ ତିନିଟା ସମୟରେ ଛଅ ଜଣ ମହିଳା ଜଣେ ପୁରୁଷଙ୍କୁ ତିନି କିଲୋମିଟର ଟେକି ଆଣି ଚିତ୍ରଡା ଫାଣ୍ଡି ପର୍ଯ୍ୟନ୍ତ ପହଞ୍ଚାଇବା ଦୃଶ୍ୟ ବେଶ ରୋମାଞ୍ଚକର ଥିଲା l ଜଣାଯାଇଛି ନୂଆସାହି ଗ୍ରାମର ଭଞ୍ଜ ସିଂ ଙ୍କ ପୁଅ ଗବର ସିଂ (୩୫) ଅଧିକାଂଶ ସମୟ ମଦ ପିଇ ଚୁର ହେଲା ପରେ ଗାଁରେ ଉତ୍ପାତ ଆରମ୍ଭ କରେ ଏବଂ ଗ୍ରାମର ଝିଅ, ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର ସହିତ ମାରପିଟ ଏବଂ ଟାଙ୍ଗିଆରେ କାଟି ମାରିଦେବାର ଧମକ ଦିଏ l
ତେବେ ବାରମ୍ବାର ଏଭଳି ଘଟଣାରେ ଅସହ୍ୟ ହୋଇ ଏଥରେ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଗବରକୁ ଏକ ଗାମୁଛାରେ ବାନ୍ଧି ଟେକି ଆଣି ଚିତ୍ରଡା ଫାଣ୍ଡିରେ ଜିମା ଦେଇଥିଲେ l ଚିତ୍ରଡା ଫାଣ୍ଡି ଅଧିକାରୀ ନଗରଦୀପ ସେଠି ପ୍ରଥମେ ୧୦୮ ଯୋଗେ ଗବରକୁ ଚିକିତ୍ସା ନିମନ୍ତେ କିଶାନତାଣ୍ଡି ଡାକ୍ତରଖାନାକୁ ପଠାଇ ଦେଇଥିଲେ l ଗବରର ଚିକିତ୍ସା ପରେ ଘଟଣାର ତଦନ୍ତ ହେବ ବୋଲି ପୋଲିସ ସାନ୍ତ୍ୱନା ଦେବା ପରେ ମହିଳା ମାନେ ଫାଣ୍ଡିରୁ ଘରକୁ ଯାଇଥିଲେ l ତେବେ ଗ୍ରାମବାସୀ ଏହି ଉନ୍ମକ୍ତ ଗବର ପ୍ରତି ଭୟଭୀତ ଅବସ୍ଥାରେ ରହିଥିବା ତଥା ଗବର ଫେରି ଆସିଲେ ଗ୍ରାମରେ ପୁଣି ଉନ୍ମକ୍ତ କାଣ୍ଡ ଘଟାଇବା ଆଶଙ୍କା ରହିଥବାରୁ ଗବରକୁ ଆଇନ ଅନୁସାରେ କଠୋର ଦଣ୍ଡ ବିଧାନ ପାଇଁ ମହିଳା ମାନେ ଫାଣ୍ଡି ଅଧିକାରୀ ଙ୍କୁ ନିବେଦନ କରିଛନ୍ତି।