Below header

ଜେଲ୍ ଭିତରେ ରହି ମଧ୍ୟ ପୁରୁଣା ଧନ୍ଦାକୁ ଛାଡି ପାରୁନି ଟିଟୋ, ଏସଟିଏଫ୍‌ ହାତରେ ଲାଗିଲା ସାଂଘାତିକ ତଥ୍ୟ

ଗ୍ୟାଙ୍ଗଷ୍ଟାର ଟିଟୋ ନାଁରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ହାତରେ ଲାଗିଛି ବଡ଼ ପ୍ରମାଣ । ଜେଲ ଭିତରେ ରହି ଟିଟୋ ନିଜ ଭାଇଙ୍କ ଜରିଆରେ ଚଳାଉଥିଲା କଳା ସାମ୍ରାଜ୍ୟ । ଗତକାଲି ଟିଟୋର ଦୁଇ ଭାଇ ଓ ସଢୁ ଗିରଫ ହେବା ପରେ ଏବେ ତା’ର କଳାସାମ୍ରାଜ୍ୟର ଚେର ଖୋଜୁଛି ଏସଟିଏଫ୍‌ । ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ତଦନ୍ତକାରୀ ଦଳ।

ସୟଦ ଆସଫାକ୍‌ ଅଲ୍ଲୀ ଓରଫ ଜି ବାବୁ ଓ ସାୟଦ୍‌ ଇଫତକହର ଅଲ୍ଲୀ ଓରଫ ଚିତୁ  ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ଭାଇ । ଆମଜଦ୍‌ ଖାନ୍‌ ଓରଫ ମୁନ୍ନା  ଟିଟୋର ସଢୁ । ଏମାନେ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ କବଜାରେ । ଜି ବାବୁ ବୁଝୁଥିଲା ଟିଟୋର ବେଆଇନ୍‌ ବନ୍ଧୁକ ବେପାର, ବାଲିଘାଟ ନିଲାମ, ଟେଣ୍ଡର ଫିକ୍ସିଂ । ସେହିପରି ଟିଟୋ ନାଁରେ ଦାଦାବଟି ମାଗିବା, ସଙ୍ଗଠିତ ଅପରାଧ, ଅପହରଣ ଆଦି ଚିତୁ ଇଶାରାରେ ଚାଲିଥିଲା । ଆଉ ଏସବୁ ହିସାବ ନିକାସ କରୁଥିଲା ଟିଟୋର ସଢୁ ମୁନ୍ନା । ବେଆଇନ ଆର୍ଥିକ କାରବାର ଠାରୁ ଆରମ୍ଭ କରି ବ୍ୟବସାୟର ହିସାବ ରଖୁଥିଲା ମୁନା । ଗିରଫ ପରେ ଏମାନଙ୍କ ପାଖରୁ ମିଳିଛି ଏକ ମାଉଜର ଓ ଗୁଳି ।

ଟିଟୋ ଗିରଫ ପରେ ଏମାନେ ସମସ୍ତେ ଫେରାର୍‌ ଥିଲେ । ବାଂଲାଦେଶ, କୋଲକାତା, ବେଙ୍ଗାଳୁରୁ ଓ ହାଇଦ୍ରାବାଦରେ ରହି ଟିଟୋର କଳା ସାମ୍ରାଜ୍ୟକୁ ଚଳାଉଥିଲେ । କିଛିଦିନ ତଳେ ଘରକୁ ଟିଟୋର ଦୁଇ ଭାଇ ଓ ସଢୁ  ଆସିଥିବା ବେଳେ ଏସଟିଏଫ୍‌ ଚଢ଼ାଉ କରି ସେମାନଙ୍କୁ ଧରିଛି । ସେପଟେ ଟିଟୋକୁ ସହଯୋଗ କରୁଥିବା ସହଯୋଗୀଙ୍କ ତାଲିକା ପ୍ରସ୍ତୁତ କରିଛି ଏସଟିଏଫ୍‌ । ଯେଉଁଥିରେ ଅଛନ୍ତି ୮ଜଣ ମୋଷ୍ଟ ଓ୍ଵାଣ୍ଟେଡ । ତାଲିକାରେ ରହିଛି କିଛି ସରକାରୀ ଅଫିସରଙ୍କ ନାଁ।

ଜୁନ୍‌ ୩୦, ୨୦୧୮ । ଗ୍ୟାଙ୍ଗଷ୍ଟର ଟିଟୋକୁ ଯାଜପୁରରେ ଏନକାଉଣ୍ଟର କରିଥିଲା ଏସଟିଏଫ୍‌ । ଖୋଳତାଡ ବେଳେ ଟିଟୋ କ୍ରାଇମ ନେଟୱର୍କର ପର୍ଦ୍ଦାଫାସ କରିଥିଲା ତଦନ୍ତକାରୀ ଦଳ । ଏହାପରେ ଟିଟୋ ଲିଙ୍କ୍‌ରେ ୨୦ରୁ ଅଧିକ ସହଯୋଗୀଙ୍କୁ ଗିରଫ କରି ଜେଲ ପଠାଯାଇଛି । ଏବେ ଟିଟୋର ଆର୍ଥିକ କାରବାର ନେଇ ଇଓଡବ୍ଲ୍ୟୁ ତନାଘନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.