Below header

ସ୍ୱାଧୀନତାକୁ ବିତିଗଲାଣି ୭୬ବର୍ଷ ତଥାପି ଅଭିଶପ୍ତ ବିରୋଲପଡ଼ା, ସରକାରୀ ଯୋଜନା ଏଠି ସାତ ସପନ

ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୬ବର୍ଷ । ହେଲେ ଏବେବି ଅନେକ ସ୍ଥାନରେ ଅପହଞ୍ଚ ସମସ୍ତ ଯୋଜନା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା , ଲେଫ୍ରିପଡା ବ୍ଲକ ମୁଖ୍ୟାଳୟରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ବଡଗାଁମାଲ ର ବିରୋଲପଡ଼ା ।

ସୁନ୍ଦରଗଡ଼(କେନ୍ୟୁଜ୍) : ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୬ବର୍ଷ । ଏହି ୭୬ ବର୍ଷରେ ଆସିଛନ୍ତି ଅନେକ ସରକାର। କରିଛନ୍ତି ବିଭିନ୍ନ ଲୋକାଭିମୁଖୀ ଯୋଜନା । ଲୋକଙ୍କୁ ଯୋଗାଇ ଦେଉଛନ୍ତି ମୌଳିକ ସୁବିଧା । ହେଲେ ଏବେବି ଅନେକ ସ୍ଥାନରେ ଅପହଞ୍ଚ ସମସ୍ତ ଯୋଜନା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା , ଲେଫ୍ରିପଡା ବ୍ଲକ ମୁଖ୍ୟାଳୟରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ବଡଗାଁମାଲ ର ବିରୋଲପଡ଼ା ।

ଏହି ପଡ଼ାର ସମସ୍ତ ପରିବାର ଆଦିବାସୀ । ମୋଟ ୧୪ଘର ବିଶିଷ୍ଟ ପଡ଼ାରେ ଜନସଂଖ୍ୟା ୭୦ ରୁ ଅଧିକ । ଜଙ୍ଗଲ ଜାତ ଦ୍ରବ୍ୟ ଯଥା, ମହୁଲ,ଚାର, ଝୁଣା, ଇତ୍ୟାଦି ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି ପଡ଼ା ର ଅଧିକାଂଶ ଲୋକେ । ତେବେ ୧୪ପରିବାର ମଧ୍ୟରୁ ମାତ୍ର ୪ ପରିବାରକୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଗୃହ । ଏପରିକି କାହାରି ଘରେ ସ୍ୱଚ୍ଛ ଭାରତ ପାଇଖାନା ନିର୍ମାଣ ହୋଇନାହିଁ । ଦୀର୍ଘ ବର୍ଷରୁ ବିଜୁଳି ଖୁଣ୍ଟ ପୋତା ଯାଇ ଟ୍ରାନ୍ସଫର୍ମର ବସିଛି । ଘର ମାନଙ୍କରେ ମିଟର ମଧ୍ୟ ବସାଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେଇନାହିଁ । ଫଳରେ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କେହି ଶୁଣି ନଥିଲେ । ସେହିପରି ଦୀର୍ଘ୧୨ବର୍ଷ ପୂର୍ବେ ଏକ ନଳକୂପ ବସାଯାଇ ଥିଲା ଯାହାକି ଦୁଇ ବର୍ଷ ହେଲା ଅଚଳ ହେବା ଫଳରେ ଚୁଆ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ସ୍ୱାଧୀନତା ର ଦୀର୍ଘ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ପଡ଼ାକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ ।

house

ରାସ୍ତା ନ ଥିବା ହେତୁ ବିଶେଷ କରି ରୋଗୀ ତଥା ପ୍ରସୂତୀ ମହିଳାଙ୍କୁ କିଛି ବାଟ ଖଟରେ ବୋହି ନେଲା ପରେ ଲେଫ୍ରିପଡା, ସୁନ୍ଦରଗଡ଼ ମୂଖ୍ୟ ଚିକିତ୍ସାଳୟ ନେଇଥାନ୍ତି,ହରିଶ୍ଚନ୍ଦ୍ର ଯୋଜନା,ଖାଦ୍ୟ ସୁରକ୍ଷା ଯୋଜନା,ପାଇଖାନା ଯୋଜନା,ବିଜୁ ସ୍ବାସ୍ଥ୍ୟ କାର୍ଡ କଣ ଜାଣି ନାହାନ୍ତି ପଡ଼ା ଲୋକେ ,ଏପରିକି ଏହି ପଡ଼ା ରେ ଆଶାକର୍ମୀ ମଧ୍ୟ ଯାଇ ନଥାନ୍ତି । ତେବେ ଏସବୁ ବାବଦରେ ସ୍ଥାନୀୟ ଲେଫ୍ରିପଡା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଯଥାଶୀଘ୍ର ସମସ୍ତ ବିଭାଗ ସହ ଆଲୋଚନା କରି ନିଜେ ଉକ୍ତ ପଡ଼ାକୁ ଯାଇ ସମସ୍ୟାର ସମାଧାନ କରିବେ ବୋଲି ସୂଚନା ଦେଇଛନ୍ତି ।

ନିର୍ବାଚନ ସମୟରେ ଅନେକ ନେତା ମନ୍ତ୍ରୀ ଆସି ଅନେକ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିଲା ପରେ କାହାରି ଦେଖା ମିଳେନାହିଁ ଏହି ପଡ଼ାରେ । ସତେ ଯେମିତି ଏହି ପଡ଼ା ଓଡିଶା ମାନଚିତ୍ର ରେ ନାହିଁ । ତେବେ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ଏହି ପଡ଼ାକୁ ପରିଦର୍ଶନ କରି ପଡ଼ାବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଦେବା ପାଇଁ ସାଧାରଣରେ ଦାବି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.