Below header

ଆଜି କଟକ, ଖୋର୍ଦ୍ଧା, ନୟାଗଡ଼ରେ ବର୍ଷିବ ନିଆଁ ! ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଆହୁରି ବଢ଼ିବ ତାତି । ଆଜି କଟକ, ଖୋର୍ଦ୍ଧା, ନୟାଗଡ଼ରେ ନିଆଁ ବର୍ଷିବ । ଏନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ତିନି ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିବ । ଦିନ ଓ ରାତିରେ ଅସ୍ୱାଭାବିକ ଗରମ ଅନୁଭୂତ ହେବ । ୪ ତାରିଖ ପର୍ଯ୍ୟନ୍ତ ଗରମ ପ୍ରକୋପରୁ ନିସ୍ତାର ନାହିଁ । ମାର୍ଚ୍ଚ ୩୧ରେ ଭୁବନେଶ୍ୱର ଦେଶର ପ୍ରମୁଖ ଉତ୍ତପ୍ତ ସହର ଭାବେ ପରିଣତ ହୋଇପାରେ ।

ସେହିପରି ୩୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖ ମଧ୍ୟରେ ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂପୁରରେ ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଛି । ୨୯ ରୁ ୩୦ ମଧ୍ୟରେ ମୟୂରଭଞ୍ଜ ବାଲେଶ୍ୱର ଓ ଭଦ୍ରକ ତିନି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ । ଏଥିପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ଅନ୍ୟପଟେ ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଆଣ୍ଡାମାନ ଆଡକୁ ମୁହାଁଇ ପାରେ । ପରେ ଏହା ମିଆଁମାର ଆଡକୁ ଗତି କରିପାରେ । ଏହି ସମୟରେ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୨୯ ଓ ୩୦ ତାରିଖରେ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.