ସାଲିଆ ସାହିରୁ ହଳଦି ପଡ଼ିଆ ‘ଜହର ହିଁ ଜହର’, ରୋକିବା କେମିତି ?

ରାଜଧାନୀ ଭୁବନେଶ୍ୱର ଯେତିକି କାୟା ବିସ୍ତାର କରୁଛି ସେତିକି ବୃଦ୍ଧି ପାଉଛି ଅପରାଧ । କଟକ ଓ ଭୁବନେଶ୍ୱରକୁ ଟ୍ଵିନ୍‌ ସିଟିର ମାନ୍ୟତା ଦେଇ ପୋଲିସ୍‌ କମିଶନରେଟ୍‌ କରାଗଲା । ହେଲେ ବିଶେଷ କରି ବ୍ରାଉନ୍‌ ସୁଗାର ବେପାର, ରାହାଜାନି ଭଳି ଅପରାଧକୁ ସମ୍ପୂର୍ଣ୍ଣ ରୋକିବାକୁ ସମର୍ଥ ହୋଇନାହିଁ କମିଶନରେଟ୍‌ ପୋଲିସ୍‌ । ଏଥିଲାଗି ରାଜଧାନୀକୁ ଦୁଇଟି ପୋଲିସ୍‌ ଜୋନ୍‌ରେ ପରିଣତ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।
ଅପରାଧ ତ ଅପରାଧ । ସେଥିଲାଗି ଅପରାଧୀକୁ ମାଫ୍‌ କରିବାର ପ୍ରଶ୍ନ ଉଠୁ ନାହିଁ । ତେବେ କିଛି ଅପରାଧ ଏଭଳି ସଂଗୀନ ଯେ ଏହାର ମୂଳରେ ରହୁଥିବା ବଡ଼ ବଡ଼ ଅପରାଧୀଙ୍କୁ ଧରି ବଡ଼ ଶାସ୍ତି ଦେବା ନିହାତି ଜରୁରୀ । ଯେଭଳି ବ୍ରଉନ୍‌ ସୁଗାର କାରବାର । ବାଳେଶ୍ୱରରୁ ଖୋର୍ଦ୍ଧା ଯାଏ ଲମ୍ବିଥିବା ଏହି କାରବାରରେ ଅନେକ ସମୟରେ ମହିଳା, ବସ୍ତି ବାସିନ୍ଦା ଏମିତିକି କଲେଜ ଛାତ୍ର ବି ସାମିଲ ଅଛନ୍ତି । ଯେଉଁ ଧଳା ଜହର ଦୀର୍ଘକାଳୀନ ଭିତ୍ତିରେ ମନୁଷ୍ୟ, ପରିବାର ଓ ସମାଜକୁ କ୍ଷତି ପହଞ୍ଚାଉଛି ସେଭଳି ଏକ ଅପରାଧ ହେଉଛି ବ୍ରାଉନ୍‌ ସୁଗାର । ଲାଗୁଛି ଯେମିତି ଏହାର ମୂଳକୁ ଧରିବାରେ ପୋଲିସ୍‌ ଅସଫଳ ହୋଇଛି । କାରଣ କିଛି ଗ୍ରାମ୍‌ର ଧଳା ଜହର ଜବତ କରି କେଇଜଣଙ୍କୁ ଗିରଫ କରି ଦେଲେ କାମ ସରୁ ନାହିଁ । କିଙ୍ଗପିନ୍‌ ଗିରଫ ହୋଇ କଠିନ ଦଣ୍ଡ ପାଇବା ଦରକାର । ନହେଲେ ଯୁବ ପିଢ଼ିକୁ ନିଶାଗ୍ରସ୍ତ କରି ଏମାନେ ପରିବାର ଓ ସମାଜର ଭୀଷଣ କ୍ଷତି ଘଟାଉଛନ୍ତି ।

BROWN SUGARପୋଲିସ୍‌ ଏହି ମାରାତ୍ମକ ନିଶାର ଖୁଚୁରା ବେପାରୀଙ୍କୁ ବାରମ୍ବାର ଗିରଫ କରୁଛି ଓ ଅଳ୍ପ ପରିମାଣର ବ୍ରାଉନ୍‌ ସୁଗାର ଜବତ ବି କରୁଛି । ହେଲେ ରାବଣର ମୁଣ୍ଡ ଭଳି ଏମାନେ ପୁଣି ଗଜୁରି ଉଠୁଛନ୍ତି । ତେଣୁ ଭୂଳ ନଉପୁଡ଼ିଲା ଯାଏ ଏଭଳି ମୁଣ୍ଡ ଗଜୁରୁଥିବ । ନିକଟରେ ହଳଦି ପଡ଼ିଆ ବସ୍ତିରୁ ଜଣେ ଯୁବକ ଗିରଫ ହୋଇଥିଲେ ବ୍ରାଉନ୍‌ ସୁଗାର ବ୍ୟବସାୟ ପାଇଁ । ଜଣାପଡ଼ିଲା ଯେ ସେ ପୋଲିସ୍‌ ସହ ଗେମ୍‌ ଖେଳିଛି । ପୋଲିସ୍‌ ଇନଫର୍ମର ସାଜି ଅନ୍ୟମାନଙ୍କୁ ଧରାଇବା ପରେ ନିଜେ ବେପାରୀ ସାଜିଥିଲା ।
ଏଭଳି ପରିସ୍ଥିତିରେ କେବଳ ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ପୋଲିସ୍‌ ଏହି ନିଶାର ସୌଦାଗରଙ୍କୁ ଦମନ କରି ପାରିବ । ସାଧାରଣ ଲୋକେ ମଧ୍ୟ ‘ନିଜେ ବଞ୍ଚିଥିଲେ ବାପର ନାଁ’ ନ୍ୟାୟରେ ନଚଳି ଯଦି ପୋଲିସ୍‌କୁ ଠିକଣା ଭାବେ ସୂଚନା ଦେବେ ତେବେ ଏହି ଅପରାଧର ଚେର ଓପାଡ଼ି ହେବ । କାରଣ ବୁଝଇବା ଦରକାର ଯେ ଏଥିରେ କେବଳ ତା ପୁଅ ଝିଅ ନୁହନ୍ତି ମୋର ସନ୍ତାନମାନେ ମଧ୍ୟ ବ୍ରାଉନ୍‌ ସୁଗାର ନିଶା କବଳରେ ବାନ୍ଧି ହୋଇ ଯାଉଛନ୍ତି । ଯାହା କବଳରୁ ରକ୍ଷା ପାଇବା ଆଦୌ ସହଜ ନୁହେଁ । ଠିକ୍‌ ଯେମିତି ଏବେ ସାଲିଆ ସାହିରୁ ଜଣେ ବି-ଟେକ୍‌ ଛାତ୍ର ଧରାପଡ଼ିଛି ବ୍ରାଉନ୍‌ ସୁଗାର ସହ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.