Below header

ମାନବିକତା ଦେଖାଇଲେ ସ୍ବାସ୍ଥ୍ୟ କର୍ମି, ଚଳନ୍ତା ବସ୍‌ରେ ଗର୍ଭବତୀଙ୍କ ପ୍ରସବ କରାଇଲେ

ମାନବିକତା ଦେଖାଇ ଚଳନ୍ତା ବସ୍‌ରେ ଗର୍ଭବତୀଙ୍କ ପ୍ରସବ କରାଇଲେ ମହିଳା  

ଗଜପତି : ଆଜିର ଏ ସ୍ୱାର୍ଥପର ଦୁନିଆରେ କିଏ ବା କାହା କଥା ବୁଝୁଛି । ବ୍ୟସ୍ତ ବହୁଳ ଜୀବନରେ ବେଳେ ବେଳେ ଆମେ ମଧ୍ୟ ବହୁତ କର୍ତ୍ତବ୍ୟକୁ ଅଣ ଦେଖା କରିଥାଆନ୍ତି । କିନ୍ତୁ ଆମର ଏହି ଅବହେଳା ପାଇଁ କାହାର ଜୀବନ ବିପଦ ମୁଖରେ ପଡ଼ିଥାଏ ତାହା ଆମକୁ ଜଣାନଥାଏ । ଆଉ କିଛି ଅବହେଳା, ପାଖରେ ଥିବା ମଣିଷ କଷ୍ଟ ଯନ୍ତ୍ରଣାରେ ଛଟ ପଟ ହେଉଥିବା ଦେଖି ମଧ୍ୟ ଆମେ କିଛି କରିପାରି ନଥାଉ । କାରଣ ଏହି ଅବହେଳା ମଧ୍ୟରେ ଆମେ ଆମର ପ୍ରକୃତ କର୍ତ୍ତବ୍ୟକୁ ଭୁଲିଯାଇଥାଉ । ଯାହା ଫଳରେ ଆମେ ସେହି ଲୋକକୁ କିଛି ସାହାଯ୍ୟ କରି ପାରି ନଥାଉ । ଆଖି ସାମ୍ନାରେ ଏତେବଡ଼ ଦୁର୍ଘଟଣାକୁ ମଧ୍ୟ ଏଡ଼ାଇ ପାରି ନଥାଉ। କିନ୍ତୁ ନିକଟରେ ଏଭଳି ଏକ ଘଟଣା ଆମ ନଜରକୁ ଆସିଛି ଯାହା ଆପଣ ଜାଣିଲେ ବାଃ ବାଃ ନକରି ନିଜକୁ ରୋକି ପାରିବେନି ।

ତେବେ ଗଜପତି ଜିଲ୍ଲାର ସୀମାକୁ ଲାଗିରହିଥିବା ଆନ୍ଧ୍ରପ୍ରଦେଶର ପଲାସା ମଣ୍ଡଳମରୁ ଏକ ମାନବିକତାର ଖବର ବେଶ୍‌ ଭାଇରଲ ହେବାରେ ଲାଗିଛି । ମାନବିକତାର ପରିଚୟ ଦେଇ ଜଣେ ସ୍ବାସ୍ଥ୍ୟକର୍ମି ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି । କେବଳ ସୁରକ୍ଷିତ ଭାବେ ପ୍ରସବ କରାଇଲେ ତାହା ନୁହେଁ ଉଭୟ ମହିଳା ଓ ନବଜାତ ଶିଶୁପୁତ୍ରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇ ସୁସ୍ଥ ହେବା ପରେ ଘରକୁ ମଧ୍ୟ ପଠାଇଥିଲେ ।

ଗତକାଲି ସଂନ୍ଧ୍ୟାରେ ବିଶାଖାପାଟନମରୁ ଇଛାପୁର ଆସୁଥିବା ଏକ ଆନ୍ଧ୍ର ସରକାରୀ ବସରେ ଗଞ୍ଜାମ ଜିଲ୍ଲାର ଏକ ଦମ୍ପତି ସ୍ବାସ୍ଥ୍ୟ ପରିକ୍ଷା କରାଇ ବିଶାଖାପାଟନମରୁ ଘରକୁ ଫେରୁଥିଲେ । ବସ୍‌ରେ ଫେରୁଥିବା ବେଳେ ପଲାସା ନିକଟରେ ହଠାତ୍‌ ତାଙ୍କ ସ୍ତ୍ରୀର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ସେ ପେଟରେ ଯନ୍ତ୍ରଣା ଅନୁଭବ କରି ଥିଲେ । କାରଣ ମହିଳା ଜଣକ ଗର୍ଭବତୀ ଥିଲେ । ଠିକ୍ ସେହି ସମୟରେ ଆନ୍ଧ୍ର ପ୍ରଦେଶର ପଲାସା ମଣ୍ଡଳମର ବାସିନ୍ଦା ବନଯାକ୍ଷୀ ସେହି ବସ୍‌ରେ ନିଜ ଘରକୁ ଫେରୁଥିଲେ । ମହିଳା ଜଣକ ଏପରି ଯନ୍ତ୍ରଣା ପାଉଥିବା ବେଳେ ବନଯାକ୍ଷୀଙ୍କ ନଜର ପଡ଼ିଥିଲା । ଆଉ ତାଙ୍କର ଏହି ଯନ୍ତ୍ରଣାକୁ ଦେଖି ସହ୍ୟ କରିପାରିନଥିଲେ । ଏହି ଜରୁରୀ କାଳିନ ପରିସ୍ଥତିରେ ବନଯାକ୍ଷୀ ମହାନତା ଦେଖାଇଥିଲେ । ବନଯାକ୍ଷୀ ସଙ୍ଗେ ସଙ୍ଗେ ବସଟିକୁ ରଖିବା ପାଇଁ କହିଥିଲେ । ଆଉ ସମସ୍ତ ଯାତ୍ରୀଙ୍କୁ ବସରୁ ବାହାର କରି ଗର୍ଭବତୀ ଜଣଙ୍କୁ ସୁରକ୍ଷିତ ପ୍ରସବ କରାଇଥିଲେ।

ତେବେ ବନଯାକ୍ଷୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଏକ ଘରୋଇ ଚିକିତ୍ସାଳୟରେ ଜିଏନ୍ଏମ୍ ପ୍ରଶିକ୍ଷଣ ନେଇ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ସେ ଉପସ୍ଥିତ ବୁଦ୍ଧି ଖଟାଇ ଗର୍ଭବତୀଙ୍କ ପ୍ରସବ କରାଇ ଉଭୟ  ମାଁ ଓ ନବଜାତ ଶିଶୁପୁତ୍ରଙ୍କୁ ସୁରକ୍ଷିତ ଭାବେ ପଲାସା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଆଜି ଉଭୟ ମା ଓ ନବଜାତ ଶିଶୁପୁତ୍ର ସୁସ୍ଥ ଅନୁଭବ କରିବା ପରେ ଉଭୟଙ୍କୁ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ ଓଡିଶା ପଠାଇଛି ।

ଆମେ ଏଠି କହିବାକୁ ରଖିବାକୁ ଚାହିଁବୁ , ଯେ ଏ ସ୍ୱାର୍ଥପର ଦୁନିଆରେ ଏପରି ମହାନତା ଦେଖାଉଥିବା ଲୋକ ଖୁବ୍‌ କମ୍‌ ସଂଖ୍ୟାରେ ଦେଖିବାକୁ ମିଳିଥାଏ । ବନଯାକ୍ଷୀଙ୍କ ପରି ଉଦାର ହୃଦୟର ବ୍ୟକ୍ତିଙ୍କ ପାଇଁ ଆମେ ହୃଦୟରୁ ଧନ୍ୟବାଦ ଜଣାଉଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.