ରୂପଶ୍ରୀଙ୍କ ପାଇଁ ଆଉ ଅର୍ଥ ବାଧକ ନୁହେଁ, ଡାକ୍ତରୀ ପଢ଼ିବା ପାଇଁ କିସ୍ ଫାଉଣ୍ଡେସନର ସହାୟତା

ଭୁବନେଶ୍ୱର (କେନ୍ୟୁଜ୍‌) : ଡାକ୍ତରୀ ପଢ଼ିବେ ରୂପଶ୍ରୀ । ପଢ଼ିବା ପାଇଁ ଏଣିକି ଆଉ ତାଙ୍କ ଆର୍ଥିକ ଚିନ୍ତା କରିବାକୁ ପଡ଼ିବ ନାହିଁ । ଫଳରେ ନିଶ୍ଚିନ୍ତରେ ସେ ଏଣିକି ନିଜ ଡାକ୍ତରୀ ପଢ଼ାରେ ଧ୍ୟାନ ଦେଇପାରିବେ । ବହୁ ଅଭାବ ଅନଟନ ଓ ସଂଘର୍ଷ ମଧ୍ୟରେ ଭୁବନେଶ୍ୱର ପ୍ରଶାନ୍ତି ବିହାରର କୃଷ୍ଣଚନ୍ଦ୍ର ସେନାପତିଙ୍କ କନ୍ୟା ରୂପଶ୍ରୀ ନିଜ ପ୍ରତିଭାକୁ ପ୍ରତିପାଦିତ କରି ଡାକ୍ତରୀ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାତ୍ର ପ୍ରତିବନ୍ଧକ ସାଜିଥିଲା ଅର୍ଥ ।
ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ ରୂପଶ୍ରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । କେହି ବି ଛାତ୍ରଛାତ୍ରୀ କୌଣସି କାରଣରୁ ଯେପରି ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହୁଏ ସେଥିପାଇଁ କିସ୍ ଫାଉଣ୍ଡେସନ୍ ସର୍ବଦା ତତ୍ପର ରହିଆସିଛି । ରୂପଶ୍ରୀଙ୍କ ସହ କିସ୍ ଫାଉଣ୍ଡେସନ୍ ପକ୍ଷରୁ ଯୋଗାଯୋଗ କରାଯିବା ପରେ ତାଙ୍କୁ ଆର୍ଥିକ ସହାୟତା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବଲାଙ୍ଗୀରସ୍ଥିତ ଭୀମଭୋଇ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ତୁରନ୍ତ ୩୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ଡାକ୍ତରୀ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ବର୍ଷକୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି କିସ୍ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି ।

ଏହା ବ୍ୟତୀତ ରୂପଶ୍ରୀଙ୍କ ବାପା କୌଣସି କାମ କରିପାରୁ ନଥିବାରୁ ମାଆଙ୍କୁ ତାଙ୍କ ଯୋଗ୍ୟତା ଭିତ୍ତିରେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ୍ରେ ନିଯୁକ୍ତି ପ୍ରଦାନ ଦିଗରେ କିସ୍ ଫାଉଣ୍ଡେସନ୍ ପ୍ରୟାସ କରିବ । ସେ ଚାହିଁଲେ କିମ୍ସ ହସ୍ପିଟାଲ୍ରେ ଚାକିରି କରିପାରିବେ । ଅସମୟରେ ସହଯୋଗର ହାତ ବଢ଼ାଇଥିବାରୁ ରୂପଶ୍ରୀ ଓ ତାଙ୍କ ପରିବାର କିସ୍ ଫାଉଣ୍ଡେସନ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସ୍ଥାନୀୟ ଲୋକମାନେ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.