Below header

ଜମି ମାଫିଆଙ୍କ କବଜାରେ କୂଆଖାଇ ନଦୀ ପଠା : ବେଆଇନ୍‌ ଭାବେ ନିଜ ନାଁରେ ହାତେଇଛନ୍ତି ଜମି, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଜଳ ସତ୍ୟାଗ୍ରହ

କଟକ (କେନ୍ୟୁଜ୍) : ଜମି ମାଫିଆଙ୍କ କବଜାରେ କୁଆଖାଇ । ସିଏମସି ୫୬ ନମ୍ବର ନମ୍ବର ଓ୍ଵାର୍ଡରେ ଥିବା ଇମାତପୁର ମୌଜାର କୁଆଖାଇ ନଦୀ ଶଯ୍ୟା ଏବେ ବିପଦରେ । ଚଂଚକାତ କରି ନଦୀ ଗର୍ଭକୁ ମାଫିଆ ନିଜ ନାଁରେ କରି ନେଇଛନ୍ତି । ଆରମ୍ଭ କରିଛନ୍ତି ନିର୍ମାଣ କାର‌୍ୟ୍ୟ । ଏହାର ପ୍ରତିବାଦରେ ଜଳ ସତ୍ୟାଗ୍ରହ କରିଛନ୍ତି ସ୍ଥାନୀୟ ଲୋକ । ଅଭିଯୋଗ ଅନୁସାରେ କିଛି ବିଲଡର ଜମି ହାତେଇ ନଦୀ ଗର୍ଭରେ ପ୍ଲଟିଂ କରି ବିକ୍ରି କରିବା ଆରମ୍ଭ କରିଛନ୍ତି । ନଦୀ ଗର୍ଭରେ ପ୍ରାୟ ୩୮ ଏକର ଜମିରେ ଏବେ ବାଉଣ୍ଡାରୀ ଓ ପ୍ଲଟିଂ କାମ ଚାଲିଛି ।

ପୁରୁଣା ରେକର୍ଡ ଅନୁଯାୟୀ ଏହି ସମସ୍ତ ଜମି ପତିତ, ଗୋଚର ଓ ଶ୍ମଶାନ କିସମ ଥିବାବେଳେ ଜମି ମାଫିଆ କିଭଳି ନିଜ ନାମରେ କରାଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୨ ମସିହାରେ ପ୍ରତିବାଦ କରାଯିବାରୁ କାମ ବନ୍ଦ ରହିଥିଲା । ପୁଣି କାମ ଆରମ୍ଭ କରିଥିବାବେଳେ ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦରେ ଜଳ ସତ୍ୟାଗ୍ରହ କରିଛନ୍ତି । କୁଆଖାଇ ନଦୀରେ ଏହି ଜବରଦଖଲ ଯୋଗୁ ସ୍ଥାନୀୟ ଅଞ୍ଚଳର ୨୫ଟି ମୌଜାରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଉଛି ।

ସରକାର ଓ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି । ଅନ୍ୟପଟେ ଜନସାଧାରଣଙ୍କ ଅଭିଯୋଗକ୍ରମେ ବିଭିନ୍ନ ବିଭାଗର ମିଳିତ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିକାରୀ ତଦନ୍ତ ବେଳେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.