Below header

ଚେଇଁ ଶୋଇଛିକି ପ୍ରଶାସନ, ପ୍ରତିଦିନ ରାଜ୍ୟ ବାହାରକୁ ଚୋରାରେ ଚାଲାଣ ହେଉଛି ମୂଲ୍ୟବାନ ଲୁହା ପଥର

କେନ୍ଦୁଝର(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ଲୌହ ଓ ମାଙ୍ଗାନିଜ ଖଣି ଲୁହାପଥର ଲୁଟେରାଙ୍କ ପେଣ୍ଠସ୍ଥଳି ପାଲଟିଛି । ଦୈନିକ ରାଜ୍ୟ ବାହାରର ଟ୍ରକ ମାଧ୍ୟମରେ ଏଠାରୁ ବୋଝେଇ ହୋଇ ଲକ୍ଷ ଲକ୍ଷ ଟଙ୍କାର ଉଚ୍ଚମାନର ଲୁହାପଥର ରାଜ୍ୟ ବାହାରକୁ ଚୋରା ରପ୍ତାନୀ ହେଉଛି । ଖଣି ବିଭାଗର ଜାଣତରେ ଏହି ମୂଲ୍ୟବାନ ଲୁହାପଥର ଲୁଟ୍ ହେଉଥିବା ବେଳେ ଏହି ଲୁଟେରାଙ୍କ ସମ୍ପର୍କରେ କିପରି ପୁଲିସ ବିଭାଗ ଏଯାବତ ଜାଣିପାରି ନାହାନ୍ତି ତାହା ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଲିସକୁ ଖବର ଦେଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିନଥାଏ । ଫଳରେ ଲୁଟେରା ମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗ୍ରାମବାସୀଙ୍କୁ ଭୟଭିତ କରିବା ସହ ଏହି ଲୁହାପଥର ଗୁଡିକୁ ଲୁଟି ନେଇଥାନ୍ତି । ତେବେ ବନ ବିଭାଗ ସକ୍ରିୟ ଥିବାରୁ କାଁ ଭାଁ ଗୋଟିଏ ଅଧେ ଗାଡି ଧରାପଡିଥାଏ ।

iron ore

ବିଳମ୍ବିତ ରାତ୍ରୀରେ ଏହି ଲୁଟେରାମାନେ ବନ୍ଦ ଖଣିରୁ ଓଆର ୧୧ ଜେ ୪୬୪୯ଏକ ନମ୍ବର୧୨ ଚକିଆ ଟ୍ରକ ଯୋଗେ ଲୁହାପଥର ବୋଝେଇ କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ବାମେବାରୀ ପୁଲିସକୁ ଫୋନ ଯୋଗେ ଜଣାଇ ଥିଲେ । ପରେ ଗ୍ରାମବାସୀମାନେ ବାଧ୍ୟ ହୋଇ ବନବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବନବିଭାଗ ପକ୍ଷରୁ କେନ୍ଦୁଝର ସହକାରୀ ଜଙ୍ଗଲ ସଂରକ୍ଷକ (ଏସିଏଫ୍) ଅଜୟ କୁମାର ସାହୁ, ଚମ୍ପୁଆ ବନରକ୍ଷୀ (ରେଞ୍ଜର) ସଞ୍ଜିବ କୁମାର ରାଉତ, ବାମେବାରୀ ବନପାଳ (ଫରେଷ୍ଟର) ଜତିନ୍ଦ୍ର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୁହାପଥର ବୋଝେଇ ହେଉଥିବା ସମୟରେ ଗାଡିଟିକୁ ଜବତ କରିଛନ୍ତି । ଏହି ଅଧା ବୋଝେଇ ଗାଡିଟିରେ ୫ଟନ୍ରୁ ଉର୍ଦ୍ଧ୍ବ ଲୁହାପଥର ଗୁଣ୍ଡ ବୋଝେଇ ହୋଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଥିବା ବେଳେ ଅନ୍ଧାରର ସୁଯୋଗରେ ଗାଡିର ଚାଳକ, ସହକାରୀ ଚାଳକ, ଦଲାଲ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ।

ବାରମ୍ବାର ଏହି ବନ୍ଦ ଖଣିରୁ କୋଟି କୋଟି ଟଙ୍କାର ଗଚ୍ଛିତ ଉଚ୍ଚମାନର ଲୁହାପଥର ଲୁଟ ହେଉଥିଲେ ମଧ୍ୟ ପ୍ରଶାସନର ଯେମିତି ଏଥିପ୍ରତି ନିଘା ନଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ, ହରଗୋବିନ୍ଦ ପାଣ୍ଡିଆଙ୍କ ଏହି ଖଣିଟି ଜୁନ୍ ୨୦୧୩ରେ ଲିଜ୍ ଅବଧି ଶେଷ ହୋଇଯାଇଥିବା ବେଳେ ଏହି ଖଣିଟିରେ ଗୋଟିଏ ଜାହାଜ ପରିମାଣରୁ ଉର୍ଦ୍ଧ୍ୱ ୫୦ ହଜାର ମେଟ୍ରିକ ଟନ୍ ଉଚ୍ଚମାନର ଲୁହାପଥର ଗଚ୍ଛିତ ରହିଛି । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ତେବେ ଏହି ଖଣି କମ୍ପାନୀ ଲିଜ୍ର ନବୀକରଣ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିବା ବେଳେ ଗତ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି ଆବେଦନକୁ ସରକାର ଖାରଜ କରିଦେଇଥିଲେ । ଫଳରେ ଖଣିଟିକୁ ଗଚ୍ଛିତ ଲୁହାପଥର ସହିତ ସରକାର ତାଙ୍କ ଅଧିନକୁ ଏହି ଖଣିଟିକୁ ନେଇଯାଇଥିବା ଜଣାପଡିଛି ।

ତେଣୁ ଖଣି ମାଲିକ ଗଚ୍ଛିତ ଲୁହାପଥର ରକ୍ଷଣାବେକ୍ଷଣ ତାଙ୍କର ଦାୟିତ୍ୱ ନୁହେଁ ବୋଲି ନିଜ ଉପରୁ ଦୋଷ ଛଡାଇ ଦେଇଥିବା ବେଳେ ଖଣି ବିଭାଗ ମଧ୍ୟ ଏହି ଲୁହାପଥରକୁ ନିଜ ଅକ୍ତିଆରକୁ ନନେଇ ଲୁଟ୍ ହେବା ପାଇଁ ଖୋଲାଖୋଲି ଭାବେ ଛାଡିଦେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.